Categories: ଖେଳ

ଏ ବର୍ଷ ହେବନି ଟି୨୦ ବିଶ୍ୱକପ୍‌

ଦୁବାଇ, ୨୦ା୭ (ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ସୋମବାର ଏ ବିଷୟରେ ସ୍ପଷ୍ଟ କରାଯାଇଛି। ଫଳରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଅକ୍ଟୋବର-ନଭେମ୍ବରରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ଲାଗି ପଥ ପରିଷ୍କାର ହୋଇଛି। ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଗତ ମେ ମାସରେ ଆଇସିସିକୁ କହିଥିଲା ଯେ, ୧୬ଟି ଅନ୍ତର୍ଜାତୀୟ ଟିମ୍‌ ପାଇଁ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ଏବଂ ରୁଦ୍ଧଦ୍ୱାରରେ ଏହି ଇଭେଣ୍ଟର ଆୟୋଜନ ସମ୍ଭବପର ନୁହେଁ। ଏହା ବ୍ୟତିରକେ ୨୦୨୩ରେ ଭାରତରେ ହେବାକୁଥିବା ୫୦ ଓଭର ବିଶ୍ୱକପ୍‌ ମାର୍ଚ୍ଚ-ଏପ୍ରିଲ୍‌ରୁ ନଭେମ୍ବରକୁ ଘୁଞ୍ଚାଇଦେବା ଲାଗି ଆଇସିସି ବୈଠକରେ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା କ୍ୱାଲିଫିକେଶନ ପ୍ରକ୍ରିୟା ପାଇଁ ଅଧିକ ସମୟ ମିଳିବ। କୋଭିଡ୍‌-୧୯ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହୋଇଛି। ଆଗାମୀ ୩ ବର୍ଷ ମଧ୍ୟରେ ଖେଳରେ କିପରି ସୁଧାର ଅଣାଯାଇପାରିବ ସେ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଇବିସି ବୋର୍ଡ (ଆଇସିସିର ବ୍ୟବସାୟିକ ଶାଖା) ବୈଠକରେ ସହମତି ପ୍ରକାଶ ପାଇଥିଲା। ଆସନ୍ତା ୩ ବର୍ଷର ପୁରୁଷ ଇଭେଣ୍ଟଗୁଡ଼ିକର କ୍ୟାଲେଣ୍ଡର ସ୍ପଷ୍ଟ କରାଯିବା ଆବଶ୍ୟକ ଥିଲା।

Share