Categories: ଖେଳ

ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ମଧ୍ୟରେ ଏହି ବିଶ୍ୱକପ୍‌ ଖେଳାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ୟୁଏଇକୁ ଇଭେଣ୍ଟ ସ୍ଥାନାନ୍ତର ହେଲା ପରେ ମଧ୍ୟ ବିସିସିଆଇ ପାଖରେ ରହିବ ଆୟୋଜନ ଅଧିକାର। ତେବେ ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।

କୌତୁହଳର କଥା ହେଲା, ସେପ୍ଟେମ୍ବର ୧୯ରୁ ଆରମ୍ଭ ୟୁଏଇରେ ହେବାକୁ ଥିବା ଆଇପିଏଲ-୧୪ର ଅବଶିଷ୍ଟାଂଶ ମ୍ୟାଚ୍‌ ଅକ୍ଟୋବର ୧୫ ତାରିଖରେ ଶେଷ ହେବ। ଅର୍ଥାତ ଏହାର ଦୁଇ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍‌।

ଉଲ୍ଲେଖଯୋଗ୍ୟ, ଟି୨୦ ବିଶ୍ୱକପ୍‌ର ୬ଷ୍ଠ ସଂସ୍କରଣ ଭାରତରେ ହୋଇପାରିବ ନା ନାହିଁ ସ୍ପଷ୍ଟ ଭାବେ ଜଣାଇବା ଲାଗି ଚଳିତ ମାସ ୧ ତାରିଖରେ ବିସିସିଆଇକୁ ଏକ ମାସ ସମୟ ଦେଇଥିଲା ଆଇସିସି।

Share