Categories: ଖେଳ

ଟି୨୦ ବିଶ୍ୱକପ୍‌: ତାରିଖ ଘୋଷଣା କଲା ଆଇସିସି

ଦୁବାଇ,୨୯।୬: କୋଭିଡ୍‌ ମହାମାରୀ ଯୋଗୁ ଭାରତରୁ ୟୁଏଇ ଓ ଓମାନକୁ ସ୍ଥାନାନ୍ତର ହୋଇଥିବା ଚଳିତ ବର୍ଷର ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ଖେଳାଯିବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ମହାମାରୀ କାରଣରୁ ଗ୍ଲୋବାଲ ଇଭେଣ୍ଟ ୟୁଏଇକୁ ସ୍ଥାନାନ୍ତର ନେଇ ବିସିସିଆଇ ସ୍ପଷ୍ଟ କରିବାର ଦିନକ ପରେ ଆଇସିସି ପକ୍ଷରୁ ଜାରି କରାଯାଇଛି ଏହି ବିବୃତି।

ବିସିସିଆଇ ଇଭେଣ୍ଟର ଆୟୋଜନ କରିବ। ଏହି ଇଭେଣ୍ଟ ଦୁବାଇ, ଆବୁଧାବି, ଶାରାଜା ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ। ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ୮ଟି କ୍ୱାଲିଫାଇଂ ଦଳ ଓମାନ ଓ ୟୁଏଇରେ ଭାଗ ଭାଗ ହୋଇ ଖେଳିବେ। ଏମାନଙ୍କ ମଧ୍ୟରୁ ୪ଟି ଦଳ ଇଭେଣ୍ଟର ସୁପର ୧୨ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ। ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌କୁ ସୁରକ୍ଷିତ ଆୟୋଜନକୁ ଆମେ ଗୁରୁତ୍ୱ ଦେଉଛୁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ମୁଖ୍ୟ ପର୍ଯ୍ୟାୟ ପୂର୍ବରୁ ପ୍ରାରମ୍ଭିକ ରାଉଣ୍ଡରେ ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ, ସ୍କଟଲାଣ୍ଡ, ନାମ୍ବିଆ, ଓମାନ ଓ ପପୁଆ ନ୍ୟୁ ଗିନି ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ।

Share