Categories: ଖେଳ

‘ନ୍ୟୁଜିଲାଣ୍ଡ ପଡ଼ିଆକୁ ବନ୍ଧୁକ ନେଇଯାଇଥିଲା ସତ, କିନ୍ତୁ ଗୁଳି ଫୁଟାଇପାରି ନ ଥିଲା’

ଅକଲାଣ୍ଡ,୧୬।୧୧: କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ବଞ୍ଚିତ ହୋଇଛି। ଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଗ୍ରୁପ ପର୍ଯ୍ୟାୟରେ ଭଲ ଫର୍ମରେ ଥିବା କିୱି ଦଳ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଫାଇନାଲରେ ପରାସ୍ତ ହୋଇଥିଲେ। ନ୍ୟୁଜିଲାଣ୍ଡର ଏହି ପରାଜୟରେ ପୂର୍ବତନ କିୱି ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମ କହିଛନ୍ତି, ଫାଇନାଲରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ଆକ୍ରମଣାତ୍ମକ ଥିଲେ ମଧ୍ୟ ସେମାନେ ଏହାକୁ ଦେଖାଇ ପାରି ନ ଥିଲେ। କିୱି ଖେଳାଳିମାନେ ଟିକେ ଅସହଜ ଥିଲେ। ଫାଇନାଲରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ସେମାନଙ୍କର ସାମର୍ଥ୍ୟକୁ ସଠିକ ଭାବରେ ବ୍ୟବହାର କରିନାହାଁନ୍ତି, ଯାହା ପରାଜୟର କାରଣ ହୋଇଛି। ଯେଉଁଠାରେ ବନ୍ଧୁକ ବ୍ୟବହାର କରାଯିବାର ଥିଲା, ଆମେ ଛୁରି ବ୍ୟବହାର କରିଥିଲୁ। ଆମେ ବନ୍ଧୁକ ଧରି ଗଲୁ, କିନ୍ତୁ ଆମେ ଗୁଳି ଫୁଟାଇଲୁ ନାହିଁ। ଆକ୍ରମଣାତ୍ମକ ମନୋଭାବ ନେଇ ଅଷ୍ଟ୍ରେଲିଆ ଭଳି ଦଳକୁ ସାମ୍ନା କରିବା ଉଚିତ୍‌ ବୋଲି ସେ କହିଥିଲେ।
ନ୍ୟୁଜିଲାଣ୍ଡ ଦଳ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାକୁ ବଞ୍ଚିତ ହୋଇଛି। ୨୦୧୫ରେ, ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲରେ ଏକପାଖିଆ ଭାବେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୨୦୧୯ରେ, ଇଂଲଣ୍ଡ ନ୍ୟୁଜିଲାଣ୍ଡଠାରୁ ଦିନିକିଆ ବିଶ୍ୱକପ ଟାଇଟଲ ଛଡ଼ାଇ ନେଇଥିଲା। ୨୦୨୧ ମସିହାରେ, ଅଷ୍ଟ୍ରେଲିଆ ପୁଣି ଥରେ ନ୍ୟୁଜିଲାଣ୍ଡକୁ ଫାଇନାଲ ହରାଇବାର ଯନ୍ତ୍ରଣା ଦେଇଥିଲା।

Share