ଚର୍ଚ୍ଚାରେ ଟି-୨୦ ନକଲି ପାସ୍‌

କଟକ ଅଫିସ, ୧୭ା୬:ବାରବାଟୀରେ ଗତ ୧୨ତାରିଖରେ ଅନୁଷ୍ଠିତ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚରେ ନକଲି ପାସ୍‌ କାରବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ପାସ୍‌ ଧରି ବହୁ ଲୋକ ଷ୍ଟାଡିୟମ୍‌ ଭିତରେ ପଶିଥିବା ଦେଖିବାକୁ ମିଳିଥିଲା। ଏପରି କି କଡ଼ା ସୁରକ୍ଷା ମଧ୍ୟରେ ଥିବା ସ୍ଥାନକୁ ସେମାନେ ଯାଇ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ ା ତେବେ ମ୍ୟାଚ ଆୟୋଜକ ଓସିଏ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୋଲିସ ଏ ବିଷୟରେ କିପରି ଜାଣିପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓସିଏ ଏବଂ କମିଶନରେଟ ପୋଲିସ ମଧ୍ୟରେ ବୁଝାମଣା ହୋଇଥିବା ଅଭିଯୋଗ ଉଠିଛି। ତେବେ ଏ ନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗ ହେଲେ ତଦନ୍ତ କରିବୁ ା
ପୋଲିସ ପାସ୍‌ ଇସ୍ୟୁ କରିନାହିଁ। ଓସିଏ ପାସ୍‌ ଇସ୍ୟୁ କରିଥିଲା ବୋଲି ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଓସିଏକୁ ବଦନାମ କରିବାକୁ ଏହା ଏକ ଅପପ୍ରଚାର। ତେଣୁ କୌଣସି ଅଭିଯୋଗ କରାଯିବ ନାହଁ ବୋଲି ଓସିଏର ସିଇଓ ସୁବ୍ରତ କୁମାର ବେହେରା କହିଛନ୍ତି।
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚରେ ନକଲି ପାସ୍‌ କାରବାର ଦେଖିବାକୁ ମିଳିଥିଲା। ନକଲି ପାସ ଦେଖିବାକୁ ଠିକ ଅସଲି ପାସ୍‌ ଭଳି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ରହିଛି। ପାସ୍‌ ଉପରେ ବ୍ୟକ୍ତିଙ୍କ ପରିଚୟ ଆଉ ବେକରେ ଓସିଏ ଫିତା ବି ରହିଛି। ହେଲେ କାହାର ପରିଚୟ ‘ଏମ୍‌ଏଲ୍‌ଏ କ୍ରିଉ’ ତ ଆଉ କାହାର ‘ବିଜେଡି ଭଲ୍ୟୁଣ୍ଟିୟର’ ଲେଖାରହିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏମ୍‌ଏଲ୍‌ଏ କ୍ରିଉ’ ଲେଖାଥିବା ନକଲି ପାସରେ ରିପୋର୍ଟର ବା କ୍ୟାମେରାମ୍ୟାନ୍‌ ଡ୍ୟୁଟି ଉଲ୍ଲେଖ ଥିଲା। ଏଭଳି ଏକ ହଜାରରୁ ଅଧିକ ନକଲି ପାସ୍‌ ନେଇ ମହିଳା ଓ ପୁରୁଷମାନେ ଅତି ସହଜରେ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିଥିଲେ। ଏମାନଙ୍କ ମଧ୍ୟରୁ ଅନେକେ ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ପରେ ଉକ୍ତ ଘଟଣା ସାମ୍ନାକୁ ଆସିଛି। ଏ ନେଇ ଓସିଏର ସିଇଓ ବେହେରା କହିଛନ୍ତି, ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ପାସ୍‌ ଓ ପରିଚୟପତ୍ର ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। ଓସିଏକୁ ବଦନାମ କରିବା ପାଇଁ ଏହା ଏକ ଯୋଜନା। ଯିଏ ବଦନାମ କରିବାକୁ ଚାହୁଁଛନ୍ତି, ଆମେ ଅଭିଯୋଗ କଲେ ମଧ୍ୟ ସେ କରିବେ। କୌଣସି ରାଜନୈତିକ ଦଳ ବା ବିଧାୟକଙ୍କ କ୍ରିଉ ନାଁରେ ପରିଚୟପତ୍ର ବା ପାସ୍‌ ପ୍ରଦାନ କରାଯିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ବେହେରା ସ୍ପଷ୍ଟ କରିଛନ୍ତି।