ଫୁଲୁଛି ମହାନଦୀ: ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର ଅଫିସ, ୧୬।୯: ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଛି। ବୁଧବାର ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଗୁରୁବାର ଆଉ ୪ଟି ଗେଟ୍‌ ଖୋଲିଛି । ଏଥିସହ ଏଯାବତ୍‌ ହୀରାକୁଦ ଡ୍ୟାମ୍‌ର ସମୁଦାୟ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି।
ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ଏହାପରେ ଜଳସ୍ତର ବଢ଼ି ୮ଟାରେ ତାହା ୬୨୮.୪୫ ଫୁଟ ଓ ୯ଟାରେ ୬୨୮.୫୦ ଫୁଟରେ ପହଞ୍ଚିଥିଲା। ପରେ ୧୦ଟାରେ ଜଳସ୍ତର ୬୨୮.୫୬ ଫୁଟ ଥିବା ବେଳେ ୧୧ଟାରେ ୬୨୮.୬୨ ଫୁଟ ଓ ୧୨ଟା ୬୨୮.୬୫ରେ ପହଞ୍ଚିଛି ।
ହୀରାକୁଦରେ ୨୮ଟି ଗେଟ୍‌ ଖୋଲା ଯାଇଥିଲେ ମଧ୍ୟ ମୁଣ୍ଡଳିରେ ସ୍ଥିତି ନିରାପଦ ରହିଛି । ଏଠାରେ ବିପଦ ସଂକେତ ୯୭.୨୫ ଫୁଟ ଥିବାବେଳେ ବର୍ତ୍ତମାନ ଜଳ ପତ୍ତନ ଏହାର ବହୁ ତଳେ ରହିଛି । ବ୍ୟାରେଜର ସମସ୍ତ ଗେଟ୍‌ ଖୋଲା ଯାଇଛି।ଫଳରେ ମୁଣ୍ଡଳି ଦେଇ ଏବେ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି।