୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ମାତ୍ର ସଫେଇ କର୍ମଚାରୀଙ୍କ ୨ ଦିନର ଅକ୍ଳାନ୍ତ ପରିଶ୍ରମ ଯୋଗୁ ସେହି ଟିକେଟ୍‌ଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଛି। ଦକ୍ଷିଣ ଇଟାଲୀର ବିଟୋଣ୍ଟୋ ସହରର ଏକ ଦୋକାନରେ ମହିଳା ଜଣକ ନିଜ ଟିକେଟ ଯାଞ୍ଚ କରିବା ସମୟରେ ତାହା ‘ନନ୍‌ ପେଏବୁଲ୍‌’ ବୋଲି ସ୍କ୍ରିନ୍‌ରେ ଦେଖାଯାଇଥିଲା। ବିଜେତା ରାଶି ଅଧିକ ଥିଲେ ଦୋକାନୀ ସିଧାସଳଖ ଟଙ୍କା ଦେଇପାରନ୍ତି ନାହିଁ ଏବଂ ସେଠାରେ ‘ନନ୍‌-ପେଏବୁଲ’ ଲେଖା ଦେଖାଯାଇଥାଏ। ମାତ୍ର ଏହାକୁ ନ ବୁଝି ମହିଳା ଜଣକ ଟିକେଟ୍‌ଟିକୁ ସେହି ଦୋକାନର ଡଷ୍ଟବିନ୍‌ରେ ଫିଙ୍ଗି ଘରକୁ ଫେରିଆସିଥିଲେ। ଘରେ ପରିବାର ଲୋକଙ୍କ ସହ କଥା ହେବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ନିୟମିତ ନମ୍ବର (୨, ୪, ୮, ୧୦, ୫୧) ସେହି ଲଟେରି ଜିତିଛି। ଏହାପରେ ମହିଳାଜଣକ ତୁରନ୍ତ ଦୋକାନକୁ ଦୌଡ଼ିଥିଲେ ବି ସେତେବେଳକୁ ଅଳିଆ ଗାଡ଼ି ଆସି ସେହି ଡଷ୍ଟବିନ ଖାଲି କରିସାରିଥିଲା। ମହିଳା ଓ ତାଙ୍କ ପରିବାର ଲୋକେ ସ୍ଥାନୀୟ ବର୍ଜ୍ୟବସ୍ତୁ ପରିଚାଳନା ସଂସ୍ଥା ‘ଏସ୍‌ଏଏନ୍‌ବି’ ର ପ୍ରଶାସକ ରୋବର୍ଟୋ ନିକୋଲା ତୋସ୍କାନୋଙ୍କ ସହାୟତା ଲୋଡ଼ିଥିଲେ। ସଂସ୍ଥାର ଟିମ୍‌ ସେହି ନିର୍ଦ୍ଦିଷ୍ଟ ଅଳିଆ ଗାଡ଼ିକୁ ଠାବ କରି ଏକ ସଫେଇ କେନ୍ଦ୍ରକୁ ନେଇଯାଇଥିଲେ। ସଫେଇ କର୍ମଚାରୀମାନେ ଦିନସାରା ଅଳିଆ ଆବର୍ଜନା ମଧ୍ୟରେ ଖୋଜାଖୋଜି କରିବା ପରେ ଟିକେଟ୍‌ଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଟିକେଟ ମିଳିବା ଖବର ପାଇ ମହିଳା ଜଣକ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ତେବେ ସରକାରୀ ସଂସ୍ଥା ହୋଇଥିବାରୁ ଏହି ବିଶେଷ ଖୋଜାଖୋଜି ଅଭିଯାନ ପାଇଁ ହୋଇଥିବା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ମହିଳାଙ୍କୁ ଏକ ସର୍ତ୍ତନାମାରେ ସ୍ବାକ୍ଷର କରିବାକୁ ପଡ଼ିଛି।

 

Dharitri – Odisha’s No.1 Odia Daily

 

Share