ବିକାଶ ପାଇଁ ମଝିଘରିଆଣୀଙ୍କ ନାଁରେ ଶପଥ

ରାୟଗଡ଼ା ଅଫିସ,୪ା୩: ରାୟଗଡ଼ା ମୋର ମାତୃଭୂମି। ନିଜ ମାଟି ପାଇଁ କାମ କରିପାରିଲେ ନିଜକୁ ଧନ୍ୟ ମନେ କରିବି। ମାଁ ମଝିଘରିଆଣୀଙ୍କ ନାଁରେ ଶପଥ କରି କହୁଛି, ଜିତିଲେ ସହରର ସର୍ବାଙ୍ଗୀନ ବିକାଶ କରିବି। ରାୟଗଡ଼ା ପୌରାଧ୍ୟକ୍ଷ ପଦ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଥିବା ସଦାଶିବ ତ୍ରିପାଠୀ(୨୬) ଦୃଢ଼ତାର ସହ ଏଭଳି କହିଛନ୍ତି।
ରାୟଗଡ଼ା ଏକ୍ସ ବୋର୍ଡ ୟୁ.ପି. ସ୍କୁଲରେ ପ୍ରାଥମିକ ଶିକ୍ଷା, ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ଏବଂ ରାୟଗଡ଼ା କଲେଜରୁ ଯୁକ୍ତ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବାପରେ ସରକାରୀ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା କରିଥିଲେ। ୨୦୨୦ ରାୟଗଡ଼ାସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍‌ ପାସ୍‌ କରିବା ପରେ ଗଞ୍ଜାମ ଆଇନ ବିଦ୍ୟାଳୟରେ ତାଙ୍କର ଆଇନ ପାଠ ଜାରି ରହିଛି। ଛୋଟବେଳୁ ଜନ୍ମଭୂମିର ସେବା ଲକ୍ଷ୍ୟ ରଖିଛନ୍ତି। ସହରର ବିଭିନ୍ନ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ପୌରପାଳିକାରେ ଦୁର୍ନୀତି ବିରୋଧରେ ସଦାଶିବ ପ୍ରତିବାଦର ସ୍ବର ଉଠାଇଛନ୍ତି। ସେବା ଲକ୍ଷ୍ୟ ନେଇ ସେ ଆଇଏଏସ୍‌ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି।
ଚଳିତଥର ପୌର ନିର୍ବାଚନ ସିଧାସଳଖ ଲୋକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛି। ତେଣୁ ମାଁ ମଝିଘରିଆଣୀଙ୍କ ଆଶୀର୍ବାଦ ଏବଂ ସାଙ୍ଗମାନଙ୍କ ସମର୍ଥନ ନେଇ ପୌରାଧ୍ୟକ୍ଷ ପଦ ପାଇଁ ଲଢ଼େଇ କରିବାକୁ ଓହ୍ଲାଇଛି ବୋଲି ସଦାଶିବ କହିଛନ୍ତି।