ଚ୍ୟାଲେଞ୍ଜ ଦେବେ ସ୍ବରାଜ

ସ୍ବରାଜ ବାରିକ ଏକ ଭିନ୍ନ ଗେଟଅପରେ ଦର୍ଶକଙ୍କ ସାମନାକୁ ଆସିବେ। କେବଳ ଗେଟଅପ ନୁହେଁ, ଭୂମିକାରେ ମଧ୍ୟ ନୂତନତ୍ୱ ରହିଛି। ଆଉ ଏଭଳି ଏକ ରୋଲ୍‌ର ସଫଳତାକୁ ନେଇ ବେଶ୍‌ ଆଶା ବାନ୍ଧିଛନ୍ତି ସେ। ଫିଲ୍ମଟିର ଟାଇଟଲ ହେଲା ‘ପ୍ରଥା’। କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ ଏଥିରେ ଥିବା କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଆପଣାଇବାକୁ ସକ୍ଷମ ଏବଂ ଅକ୍ଷମ ହେଉଛନ୍ତି, ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।
ଏହି ଚିତ୍ରଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କେ. ମୁରଲୀକ୍ରିଷ୍ଣା। ସାନ୍ଲିସା ସିଗ୍ନେଚର ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଉକ୍ତ ଚଳଚ୍ଚିତ୍ରରେ ସ୍ବରାଜଙ୍କ ବ୍ୟତୀତ ଶୀତଲ ପାତ୍ର ଓ ମୁମ୍ବାଇ ଅଭିନେତ୍ରୀ ତଥା ମଡେଲ ସିମ୍‌ରନ କୌର ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ୟଶ ଅହଲାଓ୍ବଟ (ବଲିଉଡ୍‌ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତୀଶ୍‌ ପଟେଲ ଓ ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥୀ ମଧ୍ୟ ଅଭିନୟ କରିଛନ୍ତି।
ଏହି ଫିଲ୍ମରେ ସ୍ବରାଜ ଏକ ନୂତନ ଧରଣର ଚରିତ୍ରରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ। ପୁଣି ଶୀତଲ ଜଣେ ଗଁାଉଲି ଝିଅ ଭୂମିକାରେ ଦେଖାଦେବେ। ଏହାର ଲାଇନ୍‌ ପ୍ରଯୋଜକ ଅଛନ୍ତି ବିଜୟ ପାତ୍ର। ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବିଶିଷ୍ଟ ଗୀତିକାର ନିଜାମ୍‌ଙ୍କ ପୁତ୍ର ଅସଦ ନିଜାମ। ସିନେମାଟୋଗ୍ରାଫି ଦାୟିତ୍ୱ ନରେନ୍ଦ୍ର ଗୌଡ଼ ତୁଲାଉଥିବା ବେଳେ ସଂଳାପ ରଚନା କରିଛନ୍ତି ବିଜୟ କୁମାର ରାଉଳ। ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l

Share