କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ଏସ୍‌ଏଚ୍‌ଜି

ରାୟଗଡା ଅଫିସ,୯ା୫: ରାୟଗଡା ବ୍ଲକ ଅନ୍ତର୍ଗତ କତା ପେଟା ଗ୍ରାମର ମିଶନ ଶକ୍ତିର ମା’ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି)ର ସଭ୍ୟାମାନେ କପା ଚାଷରୁ ମୁହଁ ଫେରାଇ ଏବେ କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ବର୍ଷା ହେଲେ କପା ନଷ୍ଟ ହେବା ସମ୍ଭାବନା ଥିବାରୁ କୁକୁଡ଼ା ଚାଷରେ କ୍ଷତି ନ ଥିବା ଯୋଗୁ ଏସ୍‌ଏଚ୍‌ଜି ଏହାକୁ ଆପଣେଇଛି।
ମା ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ଗତ ଫେବୃୟାରୀ ମାସରୁ ବୟଲର କୁକୁଡ଼ା ଚାଷ ଆରମ୍ଭ କରିଛନ୍ତି। ୪୦ ହଜାର ଟଙ୍କା ଖର୍ଚ୍ଚ କରି ବିଷମ କଟକରୁ ୧୦୦୦ ଚିଆଁ ଆଣି ଚାଷ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ଗ୍ରୁପର ଜଣେ ଲେଖାଏ ସଦସ୍ୟ ଏହି ଚିଆଁ ଯତ୍ନ ନେଇଥାନ୍ତି । ପ୍ରଥମେ ୧୦୦ କେଜି, ପରେ ୧୫୦ କେଜି ଏପରି ଏଯାଏ ମୋଟ ୨୫୦ କେଜି ବୟଲର ବିକ୍ରି କରି ମୋଟ ୨ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଆଗକୁ ଆହୁରି ବିକ୍ରି ହେବା ନେଇ ସଭ୍ୟମାନେ ଆଶା କରିଛନ୍ତି । ପୂର୍ବରୁ କପା ଚାଷ କରୁଥିଲୁ, ତାହା ଋତୁ ଅନୁଯାୟୀ ହୁଏ । ସେଥିରୁ ଅଧିକ ଲାଭ ନ ହେବାରୁ କୁକୁଡ଼ା ଚାଷ କରୁଛୁ ବୋଲି କହିଛନ୍ତି। କୁକୁଡ଼ା ଚାଷ ସବୁ ଋତୁରେ କରି ହେବ ବୋଲି ପ୍ରାଣୀ ସମ୍ପଦ ବିଭଗ ଜଣାଇବା ପରେ ଏହି ଚାଷ କଲୁ ବୋଲି ମହିଳା ଗୋଷ୍ଠୀ କହିଛନ୍ତି । ପୂର୍ବରୁ ଘର ଚଳିବା କଷ୍ଟକର ହେଉଥିଲା। ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ପରେ ସମୟାନୁକ୍ରମେ ରୋଜଗାରକ୍ଷମ ହେବା ଦ୍ୱାରା ସମ୍ମାନ ପାଇଲୁ ବୋଲି ସଭାପତି ଭାରତୀ ହିମିରିକା କହିଛନ୍ତି। ସେହିପରି ଗ୍ରୁପର ସଦସ୍ୟା ସବିତା ତାଡିଙ୍ଗି କହିଛନ୍ତି, ବର୍ତମାନ ଆମେ ଚିଆଁ ଅନ୍ୟ ବ୍ଲକରୁ ଚଢା ଦରରେ ଆଣୁଛୁ । କୁକୁଡ଼ା ଖାଦ୍ୟ ମଧ୍ୟ ବିଷମ କଟକରୁ ଆଣୁଛୁ। ରାୟଗଡାରେ ଥିବା ଚିଆଁ ଉତ୍ପାଦନ କେନ୍ଦ୍ରକୁ ବନ୍ଦ କରଯାଇଛି। ଏହାକୁ ଖୋଲାଗଲେ ନିଜ ଅଞ୍ଚଳରୁ ସୁବିଧାରେ ଚିଆଁ ଓ ଖାଦ୍ୟଶସ୍ୟ ଏସବୁ ପାଇପାରନ୍ତୁ ବୋଲି କହିଛନ୍ତି। ପଶୁ ପାଳନ ପାଇଁ ଆବଶ୍ୟକ ସାମଗ୍ରୀ ଖାଦ୍ୟ ଶସ୍ୟ ଚିଆଁ ସରକାରୀ ରିହାତି ଦରରେ ମିଳିଲେ ପଶୁ ପାଳନ ପ୍ରତି ଲୋକେ ଅଧିକ ଆଗ୍ରଡ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।