Categories: ଜାତୀୟ

ମମତା ସରକାରଙ୍କୁ ବଡ଼ ଝଟ୍‌କା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ସରଗରମ ହୋଇଛି। ଶୁକ୍ରବାର ମମତା ବାନାର୍ଜୀଙ୍କ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିଏମ୍‌ସି ଦଳର ନେତା ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମମତା ସରକାରରେ ପରିବହନ ମନ୍ତ୍ରୀ ଥିବା ଶୁଭେନ୍ଦୁ ଗତ କିଛି ଦିନ ହେବ ବିଦ୍ରୋହୀ ଆଚରଣ କରୁଥିଲେ। ଶୁଭେନ୍ଦୁ ଅଧିକାରୀ ପରିବହନ ମନ୍ତ୍ରୀ ଥିଲେ ଏବଂ ଦଳ ଭିତରେ ତାଙ୍କର ବେଶ୍‌ ଦବ୍‌ଦବା ରହିଥିଲା। ପଶ୍ଚିମବଙ୍ଗ ରାଜନୀତିରେ ସେ ବେଶ୍‌ ଜଣାଶୁଣା ଚେହେରା ମଧ୍ୟ ଥିଲେ। ଗତ କିଛିଦିନ ହେବ ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ହଠାତ୍‌ ତାଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘଟଣା ସେ ଆଡ଼କୁ ଇଶାରା କରୁଛି। ଏହା ପୂର୍ବରୁ ଅର୍ଥାତ୍‌ ଗୁରୁବାର ସେ ହୁଗୁଳୀ ରିଭର ବ୍ରିଜ କମିଶନର ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେଥିରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ଏନେଇ ସେ ରାଜ୍ୟପାଳଙ୍କୁ ମଧ୍ୟ ସୂଚନା ଦେଇସାରିଛନ୍ତି। ରାଜ୍ୟର ସେବା କରିବାକୁ ମମତା ତାଙ୍କୁ ସୁଯୋଗ ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share