Categories: ଜାତୀୟ

ଥମୁନି ମୁକୁଲ-ଶୁଭେନ୍ଦୁଙ୍କ କଳି

କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଳି ଥମିବାର ନା ନେଉ ନାହିଁ। ରାଜ୍ୟପାଳ ଜଗଦୀପ ଧାନଖରଙ୍କୁ ମଙ୍ଗଳବାର ଭେଟିଛି ଶୁଭେନ୍ଦୁଙ୍କ ନେତୃତ୍ୱରେ ବିରୋଧୀ ଦଳ। ନିକଟରେ ମୁକୁଲଙ୍କୁ ପବ୍ଲିକ ଆକାଉଣ୍ଟ କମିଟି(ପିଏସି)ର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛି ଟିଏମ୍‌ସି। ଏହାକୁ ନିୟମର ଉଲ୍ଲଂଘନ ଦର୍ଶାଇଛି ଭାଜପା। କାରଣ ସାଧାରଣତଃ ଜଣେ ବିରୋଧୀ ଦଳର ବିଧାୟକଙ୍କୁ ଏହି ପଦରେ ନିଯୁକ୍ତ କରାଯାଏ। ଟିଏମ୍‌ସି ଏହି ନିୟମର ଅପବ୍ୟବହାର କରିଥିବା କହିଛନ୍ତି ଅଧିକାରୀ। ଏହି ବୈଠକ ସମ୍ପର୍କରେ ଟୁଇଟ୍‌ କରିଛନ୍ତି ରାଜ୍ୟପାଳ ଧାନଖର।

କିନ୍ତୁ ଟିଏମ୍‌ସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ କହିଛନ୍ତି, ବିଧାନସଭାରେ ମୁକୁଲ ଏବେ ମଧ୍ୟ ଭାଜପାର ସଦସ୍ୟ। ଏଣୁ ତାଙ୍କୁ ପିଏସି ଚେୟାରମ୍ୟାନ ଭାବେ ନିଯୁକ୍ତ କରିବାରେ କିଛି ଅସୁବିଧା ନାହିଁ। ବିରୋଧୀ ଦଳର ଜଣେ ଅଭିଜ୍ଞ ବିଧାୟକଙ୍କୁ ପିଏସିର ଚେୟାରମ୍ୟାନ କରାଯିବାର ପରମ୍ପରା ଦୀର୍ଘ ଦିନ ହେଲା ଚାଲିଆସୁଛି। ବାଚସ୍ପତି ଏହି ନିୟମର ପାଳନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବୃହତ୍‌ ବିଜୟ ପରେ ମୁକୁଲ ଭାଜପା ଛାଡ଼ି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତ ଧରିଥିଲେ। କିନ୍ତୁ ଭାଜପା ଟିକେଟ୍‌ରୁ ଜିତିଥିବା କ୍ରିଷ୍ଣାନଗର ଉତ୍ତର ଆସନରୁ ଇସ୍ତଫା ଦେଇ ନାହାନ୍ତି। ଏହାକୁ ବିରୋଧ କରି ଆସୁଛି ଭାଜପା।

Share