ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ ଜୋଙ୍କ ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ତିଲେଇଝର ଗାଁର ରାଜେଶ ସାହୁ (୨୨)। ହେଲେ ପରିବାର ଲୋକେ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଜୋଙ୍କ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ସିମେଣ୍ଟ ବୋଝେଇ ସିଜି ୦୬ ଜିବି ୮୯୦୪ ନମ୍ବର ଟ୍ରାକ୍ଟରରେ ଡ୍ରାଇଭରଙ୍କ ସହ ରାଜେଶ ଓ ଅନ୍ୟଜଣେ ଯୁବକ ସିମେଣ୍ଟ ଅନ୍ଲୋଡ୍ ପାଇଁ ଅଁଳାଯୁବା ଗାଁ ପାଖକୁ ଯାଇଥିଲେ। ସିମେଟ ଓହ୍ଲାଇ ରାତି ପ୍ରାୟ ୯ଟା ସମୟରେ ଘରକୁ ଫେରିବା ସମୟରେ ଟ୍ରାକ୍ଟରରୁ ପଡିଯିବାରୁ ରାଜେଶଙ୍କ ମୃତ୍ୟୁ ଘଟିଛି ବୋଲି ସାଥୀ ଯୁବକ କହିଛନ୍ତି। ହେଲେ ପାରିପାର୍ଶ୍ୱିକ ସ୍ଥିତିରୁ ପରିବାର ଲୋକେ ଏହା ଦୁର୍ଘଟଣା ନୁହେଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ରାଜେଶ ବିବାହିତ ଓ ତାଙ୍କର ୯ ଦିନର ଏକ ଶିଶୁକନ୍ୟା ଅଛି। ସେ ଏକମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ଦୁଃଖରେ ପରିବାର ଭାଙ୍ଗି ପଡିଛନ୍ତି। ପ୍ରକୃତ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଇ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ପୋଲିସ ଟ୍ରାକ୍ଟର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।