ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସିଂହପୁର,୨୯ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଟିଣା ଗ୍ରାମରେ ବୁଧବାର ଜଣେ ଗର୍ଭବତୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଗ୍ରାମର ପରେଶ ମଲ୍ଲିକଙ୍କ ସ୍ତ୍ରୀ କାଞ୍ଚନ ମଲ୍ଲିକ(୨୫) ଗର୍ଭବତୀ ଥିଲେ। ଆଜି ସକାଳୁ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଏଥିନେଇ କାଞ୍ଚନଙ୍କ ଭାଇ ବିଞ୍ଝାରପୁର ଥାନାରେ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହିତ କାଞ୍ଚନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପକ୍ଷରେ ପୋଲିସର ଏକ ସାଇଣ୍ଟିଫିକ୍‌ ଟିମ୍‌ ଟିଣାରେ ପହଞ୍ଚିି ଅଧିକ ତଦନ୍ତ କରୁଛି। ଆଜି ସକାଳୁ କାଞ୍ଚନଙ୍କ ଶାଶୁଘର ଲୋକେ କାଞ୍ଚନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।