Categories: ଜାତୀୟ

ଆମେରିକାରେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି, ଝିଅଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ,୩୧ା୧୨: ଆମେରିକାର ମାସାଚୁସେଟ୍ସସ୍ଥିତ ସବୁଠୁ ବିଳାସପୂର୍ଣ୍ଣ ଏନ୍‌କ୍ଲେଭ୍‌ ବାସଭବନରେ ଏକ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଓ ସେମାନଙ୍କ ନାବାଳିକା ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛିି। ରାକେଶ କମଲ(୫୭), ସ୍ତ୍ରୀ ଟିନା(୫୪) ଏବଂ ସେମାନଙ୍କ ଝିଅ ଆରିଆନା(୨୮)ଙ୍କ ମୃତଦେହ ଗୁରୁବାର ସନ୍ଧ୍ୟାରେ ମିଳିଥିବାବେଳେ ପ୍ରାରମ୍ଭିକ ତଦନ୍ତରୁ ଏହା ଘରୋଇ ହିଂସାର ପରିଣାମ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କ ମୃତ୍ୟୁ ସହ କୌଣସି ବାହ୍ୟ ସମ୍ପୃକ୍ତି ନ ଥିବା ନରଫଲ୍କ ଜିଲା ଆଟର୍ନି ମିଚେଲ ମୋରିସେ କହିଛନ୍ତି। କମଲଙ୍କ ପରିବାର ଭାରତୀୟ ହୋଇଥିବାବେଳେ ସେମାନେ ଆମେରିକାର ପ୍ରଯୁକ୍ତି ଶିଳ୍ପରେ ନିଜକୁ ବେଶ୍‌ ପ୍ରତିଷ୍ଠିତ କରିପାରିଥିଲେ। ଏହା ବ୍ୟତୀତ ସେମାନେ ଏକ ଶିକ୍ଷା ବ୍ୟବସ୍ଥା କମ୍ପାନୀ ଏଡୁନୋଭା ଚଳାଉଥିଲେ, ଯାହା ଏବେ ବନ୍ଦ ରହିଛି। ରାକେଶ ବୋଷ୍ଟନ ୟୁନିଭର୍ସିଟି ଏବଂ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରୁ ଶିକ୍ଷା ସମାପ୍ତ ପରେ ୨୦୧୬ରେ ସ୍ତ୍ରୀଙ୍କ ସହ ମିଶି ଏଡ୍‌-ଟେକ୍‌ କମ୍ପାନୀ ଆରମ୍ଭ କରିଥିଲେ। ଏଡୁନୋଭା ଏକ ‘ଛାତ୍ର ସଫଳତା ବ୍ୟବସ୍ଥାର ଡିଜାଇନ କରି ଛାତ୍ରୀଛାତ୍ରଙ୍କ ଶିକ୍ଷାର ମାନ ବଢ଼ାଇବା ଦିଗରେ କାର୍ଯ୍ୟ କରୁଥିଲା। ରାକେଶ ୨୦୧୯ରେ ୪ ନିୟୁତ ଡଲାର ମୂଲ୍ୟରେ ୧୯,୦୦୦ ବର୍ଗଫୁଟ୍‌ର ବିଶାଳ ବିଲ୍ଡିଂ କିଣିଥିଲେ। ୨୦୨୧ରେ ଉକ୍ତ କମ୍ପାନୀ ବନ୍ଦ ହୋଇଯିବା ପରେ ସେମାନଙ୍କର ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିଲା।

Share