ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ, ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

ଗୋଲାମୁଣ୍ଡା,୩।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ତ୍ରିଲୋଚନ ବିଶି(୩୦)। ବ୍ୟବଚ୍ଛେଦ ପରେ ଦାଦନ ଶ୍ରମିକଙ୍କ ମୃତଦେହ ଗଁାକୁ ଆସୁଥିବା ଜଣାପଡିଛି।

ତ୍ରିଲୋଚନ ହାଇଦ୍ରାବାଦ ନିକଟ ରାଚାକୋଣ୍ଡା ଜିଲା କୋଠୁର ଗ୍ରାମରେ ଥିବା ଏକ ଇଟା ଭାଟିରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କ ମୃତଦେହ ନିକଟ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତ୍ରିଲୋଚନ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଥାନାରେ ସମ୍ପୃକ୍ତ କମ୍ପାନୀର କର୍ମକର୍ତ୍ତା ଅଭିଯୋଗ କରିଥିଲେ। କିନ୍ତୁ ମୃତକଙ୍କ ବାପା ଓ ତାଙ୍କ ସ୍ତ୍ରୀ ଏହା ଆତ୍ମହତ୍ୟା ନୁହେଁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ମୃତକଙ୍କ ୪ମାସର ନବଜାତ ଶିଶୁ କନ୍ୟା ଥିବା ବେଳେ ସ୍ତ୍ରୀ ଓ ବୃଦ୍ଧ ମା’ବାପା ଅଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମ୍ପୃକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।