Categories: ଜାତୀୟ

ଦିଲ୍ଲୀ ସୀମାପୁରୀ ଅଞ୍ଚଳରୁ ଏକ ସନ୍ଦିଗ୍ଧ ବ୍ୟାଗ ଜବତ

ନୂଆଦିଲ୍ଲୀ,୧୭।୨: ରାଜଧାନୀ ଦିଲ୍ଲୀ ସ୍ଥିତ ପୁରୁଣା ସୀମାପୁରୀ ଅଞ୍ଚଳରୁ ଗୁରୁବାର ମଧ୍ୟାହ୍ନରେ ସନ୍ଦେହଜନକ ଏକ ବ୍ୟାଗ ଜବତ ହୋଇଛି। ଉକ୍ତ ବ୍ୟାଗରେ ଆଇଇଡି ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ଏନ୍‌ଏସ୍‌ଜି ଟିମ୍‌ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ଗାଜିପୁରରେ ମିଳିଥିବା ଆରଡିଏକ୍ସ ମାମଲାର ଅନୁସନ୍ଧାନ ବେଳେ ସ୍ପେଶାଲ ସେଲ୍‌ର ଟିମ୍‌ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଥିବା ନମ୍ବର ଡି-୪୯ର ଏକ ଘରେ ପହଞ୍ଚିଥିଲେ। ଖୋଜାଖୋଜି ସମୟରେ ଘରୁ ଉକ୍ତ ସନ୍ଦିଗ୍ଧ ବ୍ୟାଗଟି ମିଳିଥିଲା। ଯାହାକି ଏକ ସିଲ୍‌ ପ୍ୟାକ୍‌ ରହିଥିଲା। ଘଟଣାସ୍ଥଳରେ ସ୍ପେଶାଲ ସେଲ୍‌, ବୋମ୍‌ ସ୍କ୍ବାଡ ଓ ଏନ୍‌ଏସ୍‌ଜି ଟିମ୍‌ ପହଞ୍ଚି ଯାଞ୍ଚ କରୁଛନ୍ତି। ବ୍ୟାଗରେ ପ୍ରକୃତରେ କ’ଣ ଅଛି ସେ ନେଇ ଯାଞ୍ଚ ଜାରି ରହିଛି। ଅନୁମାନ କରାଯାଉଛି ବ୍ୟାଗରେ ବିସ୍ଫୋରଣ ପାଇଁ ବ୍ୟବହୃତ ଆଇଡି ଥାଇପାରେ। ଅନ୍ୟପଟେ ଏନେଇ ସୂଚନା ମିଳିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ସୂଚନା ମୁତାବକ ଯେଉଁ କୋଠରୀରୁ ଉକ୍ତ ବ୍ୟାଗ ମିଳିଛି, ସେହି କୋଠରୀରେ ୩ରୁ ୪ ଜଣ ପୁଅ ଭଡା ଘରେ ରହୁଥିଲେ। ବର୍ତ୍ତମାନ ସେମାନେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Share