ରୁଷିଆର ସମ୍ଭ୍ରାନ୍ତଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ନେଇ ସନ୍ଦେହ…

ମସ୍କୋ,୨୭।୧୨ : ଓଡ଼ିଶାର ରାୟଗଡ଼ରେ ଏକ ସପ୍ତାହ ମଧ୍ୟରେ ଦୁଇ ରୁଷିଆ ନାଗରିକଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ସମର୍ଥକ ତଥା ଭେଟେରାନ ବ୍ୟବସାୟୀ ପାଭେଲ ଆଣ୍ଟୋଭ ଅଛନ୍ତି। ପୋଲିସର ତଦନ୍ତରୁ ଜଣାପଡିଛି ଯେ ପାଭେଲ ତୃତୀୟ ମହଲା ଝରକା ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ବିଚାର କରୁଛି। ଗତ ସପ୍ତାହରେ ଡିସେମ୍ବର ୨୨ ରେ ପାଭେଲଙ୍କ ବନ୍ଧୁ ଭ୍ଲାଦିମିର ବିଡେନୋଭଙ୍କ ମୃତଦେହ ଏକ ହୋଟେଲ ରୁମରେ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ପାଭେଲଙ୍କ ୬୫ ତମ ଜନ୍ମଦିନ ପାଳନ କରିବାକୁ ଉଭୟ ଏଠାରେ ପହଞ୍ଚିଥିଲେ।

ବର୍ତ୍ତମାନ ଏହି ଦୁଇଟି ମୃତ୍ୟୁକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଛି। ଏହାର କାରଣ ହେଉଛି ଏହା ପୂର୍ବରୁ ମଧ୍ୟ ରୁଷିଆର ବହୁ ବଡ ଶିଳ୍ପପତିଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ଘଟିଛିି। ସେମାନଙ୍କ ମଧ୍ୟରୁ କେତେକ ରାଷ୍ଟ୍ରପତି ପୁଟିନଙ୍କ ନିକଟତର ହୋଇଥିବାବେଳେ କେତେକ ସମାଲୋଚକ ଥିଲେ। ଚଳିତ ବର୍ଷ ଅଗଷ୍ଟ ୩୧ ରେ, ରୁଷିଆର ତୈଳ ବ୍ୟବସାୟୀ ରବିଲ ମାଗାନୋଭଙ୍କ ମୃତଦେହ ଡାକ୍ତରଖାନାର ଝରକା ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଗତ ଏକ ବର୍ଷ ମଧ୍ୟରେ ରୁଷିଆର ୧୦ରୁ ଅଧିକ ସମ୍ଭ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଅଧିକାଂଶ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଜଡିତ। ଏଥିମଧ୍ୟରୁ ଅନେକ ତୈଳ ଏବଂ ଗ୍ୟାସ ବ୍ୟବସାୟରେ କରୁଥିଲେ। ରୁଷିଆର ଏଭଳି ସମ୍ଭ୍ରାନ୍ତଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ନେଇ ସନ୍ଦେହ ପ୍ରକାଶ ପାଇଛି।

Share