ହାତୀ ଉପଦ୍ରବ, ଘଉଡ଼ାଇବା ପରେ ଅସୁସ୍ଥ ଥିବା ସନ୍ଦେହ

ରୂପ୍‌ସା,୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ମୟୂରଭଞ୍ଜ ପଟୁ ଏକ ଦନ୍ତାହାତୀ ଗାଁକୁ ପଶି ଆସିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲଛମନଖୁଣ୍ଟା, ଜାରାସାହି, ଦରଖୁଳି, ଗୁଆବଣିଆ, ନିମଡ଼ିହା ଆଦି ଗାଁରେ ହାତୀଟି ବୁଲୁଥିବା ଦେଖି ବନବିଭାଗକୁ ଖବର ଦିଆଯାଇଥିଲା।
ବନବିଭାଗ କର୍ମଚାରୀ ପହଞ୍ଚତ୍ ଗାଁ ଲୋକଙ୍କ ସହାୟତାରେ ହାତୀକୁ ଘଉଡାଇ ନିମଡ଼ିହା ଜଙ୍ଗଲରେ ଛାଡ଼ିଥିଲେ। ହେଲେ ହାତୀଟି ଅସୁସ୍ଥ ଥିବାରୁ ସେଠାରେ ଶୋଇ ରହିଥିବା ଦେଖିବାକୁ ମିଳିଛି। ଏପରିକି ହାତୀଟି ଜାରାସାହି ଗାଁର ବୈକୁଣ୍ଠ ସିଂଙ୍କ ଘର ଭାଙ୍ଗି ଥିବାବେଳେ ବହୁ ଲୋକଙ୍କ ଧାନ, ଚାଉଳ, ପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଭୋର୍‌ ସମୟରେ ୬ ମାସ ହେଲା ବାରମ୍ବାର ରୂପସା ଅଞ୍ଚଳକୁ ହାତୀ ପଶି ଆସୁଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।