Categories: ଜାତୀୟ

ନୋଏଡାରେ ଗ୍ୟାସ ଲିକ୍‌ ଭୟ

ନୋଏଡା,୨୫।୨: ଜାତୀୟ ରାଜଧାନୀ ନିକଟସ୍ଥ ନୋଏଡା ସହରର ବିଭିନ୍ନ ରେସିଡେନସିଆଲ ସେକ୍ଟରରେ ଗୁରୁବାର ସନ୍ଧ୍ୟାରେ ରନ୍ଧନ ଗ୍ୟାସ ଲିକ ହୋଇଯାଇଥିବା ଖବର ପ୍ରଚାରିତ ହୋଇଥିଲା। ଏଥିଯୋଗୁ ସହରରେ ଖେଳି ଯାଇଥିଲା ଭୟର ବାତାବରଣ। କିନ୍ତୁ ପାଇପ୍‌ ନ୍ୟାଚୁରାଲ ଗ୍ୟାସ (ପିଏନ୍‌ଜି) ଯୋଗାଣକାରୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ର ଅଧିକାରୀମାନେ ଗ୍ୟାସ ପାଇପ୍‌ ଲାଇନ୍‌ ନେଟଓ୍ବର୍କ ଯାଞ୍ଚ କରିଥିଲେ। ପାଇପ୍‌ ନେଟଓ୍ବର୍କରେ କୌଣସି ଲିକେଜ ମିଳି ନ ଥିଲା।

ସେକ୍ଟର ୧୩୭ ଓ ୯୩ର ବସିନ୍ଦା ସନ୍ଧ୍ୟା ୭ଟାରେ ଅଞ୍ଚଳରେ ଗ୍ୟାସ ଗନ୍ଧ ହେଉଥିବା ହ୍ବାଟ୍ସଆପ୍‌ ମେସେଜ କରିଥିଲେ। ଏପରିକି କିଛି ଲୋକ ପୋଲିସକୁ ଫୋନ କରି ଜଣାଇଥିଲେ। ନୋଏଡା ଅଧିକାରୀ ଓ ଜିଲା ପ୍ରଶାସନ ଏ ଘଟଣା ସ୍ପଷ୍ଟ କରିଛନ୍ତି। କିଛି ହାଉସିଂ ସୋସାଇଟିରେ ନୋଟିସ ଲଗା ଯାଇଥିଲା। ସେଥିରେ ପିଏନ୍‌ଜି ପାଇପଲାଇନ ସ୍ବାଭାବିକ ନ ହେଲା ପର୍ଯ୍ୟନ୍ତ ଗ୍ୟାସ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା।

“୧୩୭ ସେକ୍ଟରରେ ରହୁଥିବା ଲୋକେ ପୋଲିସକୁ ସନ୍ଧ୍ୟା ୭ଟାରେ ଫୋନ କରି ଗ୍ୟାସ ଗନ୍ଧ ହେଉଥିବା ଜଣାଇଥିଲେ। ଅଘଟଣକୁ ରୋକିବା ପାଇଁ ଗ୍ୟାସ ପାଇପଲାଇନ ବନ୍ଦ କରି ଦିଆଯାଇଥିଲା” ବୋଲି ଅତିରିକ୍ତ ଡେପୁଟି ପୋଲିସ କମିଶନର ରନବିଜୟ ସିଂ କହିଛନ୍ତି।

“ଗ୍ୟାସ ଲିକ୍‌ ହେବା ନେଇ ଅଭିଯୋଗ ଆସିଥିବା ନୋଏଡାର କିଛି ସେକ୍ଟରରେ ଆମ ଦଳ ପାଇପଲାଇନ ନେଟଓ୍ବର୍କ ଯାଞ୍ଚ କରିଛନ୍ତି। ସେଠାରେ କୌଣସି ଲିକ୍‌ ନାହିଁ” ବୋଲି ଆଇଜିଏଲ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share