ଶ୍ରମିକଙ୍କୁ ହତ୍ୟା ସନ୍ଦେହ

ଭୁବନ, ୧।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଦେଇ ନିର୍ମାଣ ଚାଲିଥିବା ଅନୁଗୋଳ-ସୁକିନ୍ଦା ନୂତନ ରେଳ ଲାଇନ୍‌ କାର୍ଯ୍ୟସ୍ଥଳରୁ ସୋମବାର ଭୋର୍‌ରେ ଜଣେ ଦିନ ମଜୁରିଆଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଭୁବନ ଥାନା ବାଲିଝାଟି ଗ୍ରାମ ଦେହୁରୀ ସାହିର ଭବାନୀ ଦିଆଣି (୨୬)। ତେବେ ଭବାନୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଗ୍ରାମବାସୀ ଦୀର୍ଘ ଦୁଇଘଣ୍ଟା ଧରି ୫୩ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେ, ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ସଦଳବଳ ପହଞ୍ଚତ୍ ଘଟଣାର ତଦନ୍ତ କରିଛନ୍ତି। ଭାଜପା ନେତା ଶତ୍ରୁଘ୍ନ ଜେନା ହସ୍ତକ୍ଷେପ କରି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ମୃତକଙ୍କ ପରିବାର ସଦସ୍ୟଙ୍କ କହିବା କଥା, ଭବାନୀ ଜଣେ ଦିନ ମଜୁରିଆ। ସେ ରବିବାର କାମକୁ ଯାଇ ଆଉ ଫେରି ନ ଥିଲେ। ଘର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ସକାଳୁ ତାଙ୍କ ମୃତଦେହ ରେଳଲାଇନ୍‌ ନିର୍ମାଣ ସ୍ଥଳରୁ ଠାବ କରାଯାଇଥିଲା। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟ ତୀବ୍ର ଉତ୍ତେଜନା ଦେଖାଦେବା ସହ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପକ୍ଷରୁ ସହାୟତା ଯୋଗାଇ ଦେବା ସହିତ ରାତିରେ ରେଲଓ୍ବେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ନଂ. ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।