ନ୍ୟାୟ: ଦ ଜଷ୍ଟିଶର ଶୁଟିଂ ଶେଷ!

ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିଶ’ର ଶୁଟିଂ ଶେଷ ହୋଇଛି । ଦିଲିପ ଗୁଲାଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜୁବେର ଖାଁ ଓ ଶ୍ରେୟା ଶୁକ୍ଳା । ଏଥିରେ ସୁଶାନ୍ତଙ୍କ ଜୀବନର ସିକ୍ରେଟ ଷ୍ଟୋରୀକୁ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି । ଆସନ୍ତା ଏପ୍ରିଲରେ ଏହା ବକ୍ସ ଅଫିସରେ ରିଲିଜ୍ ହେବାର ଯୋଜନା ରହିଛି । ଜୁବେର ସୁଶାନ୍ତଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଶ୍ରେୟା ଅପୋଜିଟ୍ ରିୟା ଚକ୍ରବର୍ତ୍ତିଙ୍କ ଭୂମିକାରେ ନଜର ଆସିବେ । ଏଥିରେ ଉଭୟ ସୁଶାନ୍ତ ଓ ରିୟାଙ୍କ ଜୀବନୀ ଏବଂ ସେମାନଙ୍କ ରିଲେସନଶିପକୁ ଦେଖାଯିବ ବୋଲି କୁହାଯାଉଛି । ନିକଟରେ ଜୁବେର ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି, ଫିଲ୍ମ ସୁଶାନ୍ତ ଓ ରିୟାଙ୍କ କେମେଷ୍ଟ୍ରି ଓ ବଣ୍ଡିଂ ଉପରେ ଆଧାରିତ । ଜୁବେଦ ସୁଶାନ୍ତଙ୍କୁ ୨୦୧୫ ମସିହାରୁ ଜାଣିଥିଲେ ଯେତେବେଳେ ସେ ମାର୍ଶାଲ ଆର୍ଟ ଟ୍ରେନିଂ ନେଉଥିଲେ । ଏହାପରେ ସେ ଧାରାବାହିକ ‘ପବିତ୍ର ରିସ୍ତା’ରେ ମୁଖ୍ୟ ଭୂମିକାରେ ଅଭିନୟ ବି କରୁଥିଲେ । ଏବେ ଜୁବେର ସୁଶାନ୍ତଙ୍କ ଚରିତ୍ରରେ ଅଭିନୟ କରୁଥିବାରୁ ନିଜକୁ ଭାଗ୍ୟବାନ ବୋଲି ମନେ କରନ୍ତି । ଯଦିଓ କିଛିଦିନ ହେବ ସେ ସୁଶାନ୍ତଙ୍କ ସମ୍ପର୍କରେ ନ ଥିଲେ ତଥାପି ୫ ବର୍ଷ ପୂର୍ବେ ସେ ତାଙ୍କୁ ଭଲଭାବେ ଜାଣିଥିବା ପ୍ରକାଶ କରିଛନ୍ତି । ଏହା ସୁଶାନ୍ତଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ବୋଳି ଜୁବେର କହିଛନ୍ତି ।

Share