ସିନେମା ହଲ୍‌ରେ ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବିଦେଶର ପ୍ରଂଶସକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଏବେ ବି ତାଙ୍କ ମୃତ୍ୟୁ ଲୋକଙ୍କ ମନରୁ ଲିଭିନାହିଁ। ଏଭଳି ସ୍ଥିତିରେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିବା ପରେ ଦର୍ଶକ ଭାବବିହ୍ବଳ ହୋଇପଡ଼ିଛନ୍ତି। କରୋନା କଟକଣା ଯୋଗୁ ଜୁଲାଇ ୨୪ରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଥିଲା। ହେଲେ ଏବେ ନ୍ୟୁଜିଲାଣ୍ଡର ସିନେମା ହଲ୍‌ରେ ତାଙ୍କ ଫିଲ୍ମ ରିଲିଜ୍‌ ହୋଇଥିବା ଜଣାପଡ଼ିଛି। ନିକଟରେ ନ୍ୟୁଜିଲାଣ୍ଡ ମହାମାରୀ କରୋନା ଭାଇରସ ଉପରେ କାବୁ ପାଇବା ସହ କରୋନା ମୁକ୍ତ ହୋଇଥିବା ନେଇ ଘୋଷଣା କରିଥିଲା। ଏହାପରେ ଦେଶରେ ସତର୍କତାର ସହ କିଛି ସିନେମା ହଲ୍‌ ଓ ସପିଂ ମଲ୍‌ ଖୋଲାଯାଇଥିଲା। ଇତିମଧ୍ୟରେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ପ୍ରିମିୟର ଅକ୍‌ଲାଣ୍ଡର ହୋୟତ୍ସ ସିନେମା ହଲ୍‌ରେ ରଖାଯାଇଥିଲା। ଫିଲ୍ମ ପ୍ରିମୟର ପୂର୍ବରୁ ସର୍ବପ୍ରଥମେ ଲୋକମାନେ ସୁଶାନ୍ତଙ୍କ ପାଇଁ ୧ ମିନିଟ୍‌ ନୀରବ ପ୍ରାର୍ଥନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଫିଲ୍ମ ଆରମ୍ଭ ହୋଇଥିଲା। ଫିଲ୍ମ ଦେଖିବା ପରେ ପ୍ରଶଂସକ ବେଶ୍‌ ପସନ୍ଦ କରିବା ସହ ପ୍ରଶଂସା କରିଥିବା ଜଣାପଡ଼ିଛି।

Share