Categories: ଜାତୀୟ

ଚାଷୀଙ୍କ ସପକ୍ଷରେ ସୁସାନ

ନୂଆଦିଲ୍ଲୀ, ୭।୨: ଭାରତରେ ଚାଷୀ ଆନ୍ଦୋଳନକୁ ହଲିଉଡ୍‌ର ବର୍ଷୀୟାନ ଅଭିନେତ୍ରୀ ସୁସାନ ସରାଣ୍ଡନ୍‌ ସମର୍ଥନ ଜଣାଇଛନ୍ତି। ପପ୍‌ ଷ୍ଟାର ରିହାନାଙ୍କ ଟୁଇଟ୍‌କୁ ଦେଇ ବିବାଦ ଦେଖାଦେବା ପରେ ହଲିଉଡ୍‌ର ଏହି ୭୪ ବର୍ଷୀୟା ସେଲିବ୍ରିଟି କୃଷକମାନଙ୍କ ସମର୍ଥନରେ ବାହାରିଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବରର ଶିରୋନାମା ‘ହ୍ବାଇ ଆର୍‌ ଫାର୍ମର୍ସ ପ୍ରୋଟେଷ୍ଟିଂ ଇନ୍‌ ଇଣ୍ଡିଆ?’କୁ ସେ ଟୁଇଟର୍‌ରେ ଶେୟାର କରିଛନ୍ତି।
ରିହାନାଙ୍କ ପୋଷ୍ଟ ପରେ ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରରୁ ସମର୍ଥନ ମିଳିବାରେ ଲାଗିଛି। ଏହା ପୂର୍ବରୁ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ, ଆମେରିକାର ଆଇନଜୀବୀ ତଥା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌, ଅମଣ୍ଡା କେର୍ନି, ଗାୟିକା ଜୟ ସିଆନ୍‌, ଡ. ଜିଉସ୍‌ ଏବଂ ମିଆ ଖଲିଫା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ସାରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ୨ ମାସରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନ ଚାଲିଛି। କୃଷକଙ୍କ ଆନ୍ଦୋଳନସ୍ଥଳକୁ ଦିଲ୍ଲୀ ପୋଲିସ କଣ୍ଟାର ତାରବାଡ଼ ଦେଇ ସିମେଣ୍ଟ କଂକ୍ରିଟ୍‌ରେ ଆବଦ୍ଧ କରିବା ଚିତ୍ର ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି।

Share