ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର ସୂର୍ଯ୍ୟାଂଶ ସେଡ୍ଗେ। ତିଳକ ବର୍ମା ଦଳର ନେତୃତ୍ୱ ନେବେ । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି । ଏଥର ଟୁର୍ଣ୍ଣାମେଣ୍ଟ ୫୦ ଓଭର ଫର୍ମାଟ୍ରେ ଖେଳାଯିବ।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ସୂର୍ଯ୍ୟାଂଶଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି। କ୍ୟାରିୟରରେ ଏମିତି ଅନେକ ସମୟ ଆସିଛି, ଯେତେବେଳେ ତାଙ୍କୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳିନାହିଁ ଏବଂ ନିଜ ସୁଯୋଗକୁ ଅପେକ୍ଷା କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି।
ଗଣମାଧ୍ୟମକୁ ସୂର୍ଯ୍ୟାଂଶ କହିଛନ୍ତି, କୌଣସି ଖେଳାଳି ଦଳରୁ ବାହାରେ ବସିବାକୁ ପସନ୍ଦ କରନ୍ତି ନାହିଁ । ଗତବର୍ଷ ସେ ଇଣ୍ଡିଆ-ଏ ପାଇଁ କିଛି ମ୍ୟାଚ୍ ଖେଳିବା ପରେ ଦୋହା ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନଥିଲା। ଏହାପରେ ବିଜୟ ହଜାରେ ଟ୍ରଫିର ସମସ୍ତ ଲିଗ୍ ମ୍ୟାଚ୍ରେ ମଧ୍ୟ ତାଙ୍କୁ ବାହାରେ ବସିବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିରେ ସେ କିଛି କରିପାରିବେ ନାହିଁ । ଖେଳିବାକୁ ସୁଯୋଗ ଦେବା ପାଇଁ ସେ କୋଚ୍ କିମ୍ବା ଅଧିନାୟକଙ୍କ ପାଖକୁ ଯାଇ ଅନୁରୋଧ କରିପାରିବେ ନାହିଁ । କାରଣ ତାଙ୍କର ନିଜସ୍ୱ ଆତ୍ମସମ୍ମାନ ଓ ସ୍ୱାଭିମାନ ରହିଛି । ଜଣେ ଖେଳାଳି ଭାବେ ନିଜ ନିୟନ୍ତ୍ରଣରେ ଥିବା କାମ ଉପରେ ଧ୍ୟାନ ଦେବାକୁ ସେ ପସନ୍ଦ କରନ୍ତି ।
ଆଇପିଏଲ୍ର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ତାଙ୍କୁ ଦଳରୁ ବାହାରେ ବସିବାକୁ ପଡ଼ିଥିଲା। ଏହି ସମୟରେ ସେ ରିକି ସାର୍ଙ୍କ ସହ କଥା ହୋଇଥିଲେ । ତାଙ୍କୁ ମୁଣ୍ଡ ତଳକୁ କରି ନିଜ କାମ ଜାରି ରଖିବାକୁ ଏବଂ ସୁଯୋଗ ମିଳିଲେ ତାହାର ପୂର୍ଣ୍ଣ ଫାଇଦା ଉଠାଇବାକୁ ପରାମର୍ଶ ମିଳିଥିଲା ବୋଲି ସେ କହିଛନ୍ତି।
ସୂର୍ଯ୍ୟାଂଶଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ଗସ୍ତରୁ ଫେରିବା ପରେ ଖେଳିବାକୁ ସୁଯୋଗ ମିଳିବ ବୋଲି ପ୍ରତ୍ୟେକ ଖେଳାଳି ଆଶା ରଖନ୍ତି। କିନ୍ତୁ କୌଣସି କାରଣରୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ନମିଳିଲେ ନିଜ ଅଭ୍ୟାସ ଓ ପ୍ରସ୍ତୁତି ଉପରେ ଧ୍ୟାନ ଦେବା ଉଚିତ। ସୂଚନାଯୋଗ୍ୟ, ସୂର୍ଯ୍ୟାଂଶ ସେଡ୍ଗେ ଭାରତ ପାଇଁ ଏପର୍ଯ୍ୟନ୍ତ ୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ମଧ୍ୟ ଟିମ୍ ଇଣ୍ଡିଆର ଅଂଶ ଥିଲେ। ଆଇପିଏଲ୍ରେ ସେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି।