Categories: ଖେଳ

ଯେବେ ବି ମଇଦାନକୁ ଓହ୍ଲାଏ, ପଶା ଓଲଟାଇବା ଭଳି ଖେଳିବାକୁ ଚାହିଁଥାଏ: ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ବେଶ ପରିଚିତ ନାମ। ସେ ଟି୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନରେ ରହିଛନ୍ତି। ହେଲେ ସେ ବିଶ୍ୱର ନମ୍ବର-୧ ଖେଳାଳି ହେବାକୁ ଏକ ସ୍ବପ୍ନ ପରି ଭାବନ୍ତି। ସେହିଭଳି କେବଳ ସୀମିତ ଓଭର ଖେଳ ନୁହେଁ ବରଂ ଟେଷ୍ଟ କ୍ରିକେଟରେ ମଧ୍ୟ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିବାକୁ ଚାହାନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

ସୂର୍ଯ୍ୟକୁମାର କହିଛନ୍ତି, ଏହା ଏବେ ବି ସ୍ବପ୍ନ ଭଳି ଲାଗେ। ବର୍ଷକ ପୂର୍ବରୁ ଯଦି କେହି ଟି୨୦ କ୍ରିକେଟର ନମ୍ବର-୧ ବ୍ୟାଟ୍ସମ୍ୟାନ ବୋଲି କହିଥାନ୍ତା, ଜାଣେନା କିଭଳି ପ୍ରତିକ୍ରିୟା ଦେଇଥାନ୍ତି। ହେଲେ ଯେତେବେଳେ ମୁଁ ଏହି ଫର୍ମାଟରେ ଖେଳିବା ଆରମ୍ଭ କଲି ସେତେବେଳେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହୁଁଥିଲି। ସେଥିଲାଗି କଠିନ ପରିଶ୍ରମ ମଧ୍ୟ କରିଛି।

ସେହିଭଳି ୨୦୨୩ ଦିନିକିଆ ବିଶ୍ୱକପ୍‌ ଲାଗି ନିଜର ବ୍ୟାଟିଂରେ ପରିବର୍ତ୍ତନ କରିବେ କି ପ୍ରଶ୍ନରେ ସେ କହିଛନ୍ତି, ଯେତେବେଳେ କେଉଁ ଫର୍ମାଟରେ ଖେଳେ ସେତେବେଳେ ତା ବିଷୟରେ ବେଶି କିଛି ଭାବେ ନାହିଁ। କାରଣ ଯେତେବେଳେ ବ୍ୟାଟିଂ କରେ ତାକୁ ଉପଭୋଗ କରେ। ଯେବେ ବି ମଇଦାନକୁ ଯାଏ, ପଶା ପଲଟିବା ଭଳି ପ୍ରଦର୍ଶନ କରେ ବୋଲି ଚାହିଁଥାଏ। କହିବାକୁ ଗଲେ ସେ ଟି୨୦ ହେଉ କି ଦିନିକିଆ ଅଥବା ରଣଜୀ ଟ୍ରଫି, ମୋତେ ବ୍ୟାଟିଂ କରିବାକୁ ଭଲ ଲାଗେ। ଏଥିଲାଗି ଅଧିକ ଅଭ୍ୟାସ ବଦଳରେ ଭଲ ଅଭ୍ୟାସ କରିବା ଉପରେ ଧ୍ୟାନ ଦେଇଥାଏ। ମୋ ସହ ମୋ ପରିବାର ବହୁତ ବଳିଦାନ ଦେଇଛନ୍ତି। ଭାରତ ପକ୍ଷରୁ ଡେବ୍ୟୁ କରିବା ପୂର୍ବରୁ ୧୦ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲି ବୋଲି ସେ କହିଛନ୍ତି।

Share