Categories: ଖେଳ

ନଂ-୪ରେ ଖେଳିବାକୁ ଆସିଲେ କାର୍ତ୍ତିକ: ନିଜ ସ୍ଥାନ ବିପଦରେ ଥିବା କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ବ୍ୟାଟିଂରେ ଅନେକ ପରିବର୍ତ୍ତନ କରିଥିଲା ଟିମ୍‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଋଷଭ ପନ୍ତ ଓପନିଂ କରିବାକୁ ଓହ୍ଲାଇଥିଲେ। ସେହିଭଳି ଶ୍ରେୟାସ ଆୟର ତୃତୀୟ ଏବଂ ଦିନେଶ କାର୍ତ୍ତିକ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଦଳର ସ୍ଥିତି ଖରାପ ଥିବା ସତ୍ତ୍ୱେ କାର୍ତ୍ତିକ ୨୧ ବଲ୍‌ରେ ୪ ଚୌକା ଏବଂ ୪ ଛକା ସହାୟତାରେ ୪୬ ରନ୍‌ କରିଥିଲେ। କାର୍ତ୍ତିକଙ୍କ ଏଭଳି ପ୍ରଦର୍ଶନରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ବେଶ ପ୍ରଭାବିତ ହୋଇଛନ୍ତି। ସେ କାର୍ତ୍ତିକଙ୍କ ଭୁରି ପ୍ରଶଂସା କରିବା ସହ ମୋ ସ୍ଥାନ(ନଂ-୪) ବିପଦରେ ବୋଲି କହିଛନ୍ତି।

ମ୍ୟାଚ୍‌ ପରେ ସୂର୍ଯ୍ୟକୁମାର ପ୍ରେଜେଣ୍ଟେଶନ ସେରିମନିରେ କହିଛନ୍ତି, କାର୍ତ୍ତିକଙ୍କୁ ଖେଳ ସମୟର ଆବଶ୍ୟକତା ଥିଲା। ମୋତେ ଲାଗୁଛି ଯେଉଁଭଳି ଭାବେ ସେ ଖେଳିଲେ, ତାଦ୍ୱାରା ମୋର ନଂ-୪ ସ୍ଥାନ ବିପଦରେ ରହିଛି। ’

ତେବେ ସୂର୍ଯ୍ୟକୁମାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦୁଇଟି ଟି୨୦ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଲଗାତାର ଭାବେ ଅର୍ଦ୍ଧଶତକ ମାରି ସେ ପ୍ଲେୟାର ଅଫ୍‌ ଦ ସିରିଜର ପୁରସ୍କାର ଜିତିଥିଲେ। ଆଗାମୀ ଦିନରେ ସେ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ସ୍କ୍ବାର୍ଡରେ ରହିବେ। ଦଳ ଗୁରୁବାର ଅଷ୍ଟ୍ରେଲିଆ ଗସ୍ତ କରିବେ। ଏବେ ସେ ଏହାକୁ ନେଇ ଉତ୍ସାହିତ ଅଛନ୍ତି।

Share