ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନକୁ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଦଳର ଷ୍ଟାର ଖେଳାଳି ସୂର୍ଯ୍ୟ କୁମାର ଯାଦବ ଏପ୍ରିଲ ମାସ ପୂର୍ବରୁ ମ୍ୟାଚ୍‌ ଖେଳିବାକୁ ଫିଟ୍‌ ହୋଇ ପାରିବେ ନାହିଁ। ଅର୍ଥାତ୍‌ ମାର୍ଚ୍ଚ ୨୭ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଖେଳିବାକୁ ଥିବା ପ୍ରଥମ ମୁକାବିଲା ଲାଗି ସେ ଉପଲବ୍ଧ ରହିବେ ନାହିଁ। ସେହିପରି ଏପ୍ରିଲ ୨ଚରେ ମୁମ୍ବାଇର ଦ୍ୱିତୀୟ ମ୍ୟାଚ୍‌ ବେଳକୁ ସେ ସୁସ୍ଥ ହୋଇଥିବା ଆଶା କରାଯାଉଛି। ତେବେ ସୂର୍ଯ୍ୟକୁମାର ଏବେ ଏନ୍‌ସିଏରେ ଥିବା ବେଳେ ତାଙ୍କୁ ସୁସ୍ଥ ହେବା ଲାଗି ସମୟ ଲାଗିପାରେ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ବେଳେ ସୂର୍ଯ୍ୟ କୁମାର ଆହତ ହୋଇଥିଲେ। ଏଥିପାଇଁ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ସେ ବାଦ ପଡ଼ିଥିଲେ। ଏବେ ସୂର୍ଯ୍ୟ କୁମାର ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ରିହାବିଲଟେଶନ ପ୍ରକ୍ରିୟାରେ ଅଛନ୍ତି। ସେ ଧୀରେଧୀରେ ସୁସ୍ଥ ହେଉଥିଲେ ହେଁ ଏପ୍ରିଲ ପୂର୍ବରୁ ମ୍ୟାଚ ଖେଳିବାକୁ ସଂପୂର୍ଣ୍ଣ ଫିଟ ହେବାର ଆଶା ବହୁତ କମ। ତେଣୁ ସେ ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ଖେଳି ନ ପାରନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

Share