ନୂଆଦିଲ୍ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ ନାହାନ୍ତି ଏବଂ ତାଙ୍କୁ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ (T20I) ସିରିଜ୍ରୁ ବାଦ ମଧ୍ୟ ଦିଆଯାଇଛି। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସୂର୍ଯ୍ୟ କିଛି ମାସ ପୂର୍ୱରୁ ହିଁ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିଅନ କରାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ ଦଳରୁ ହଟାଇ ଦିଆଯାଇଛି। ଏବେ ଶ୍ରେୟସଙ୍କୁ ଅଧିନାୟକ କରାଯିବା ନେଇ ସୂର୍ଯ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଗତ କିଛି ବର୍ଷ ହେବ ଆଇପିଏଲରେ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଦମଦାର ରହିଛି ଏବଂ ତାଙ୍କ ଅଧିନାୟକତ୍ୱକୁ ବେଶ ପ୍ରଶଂସା ମଧ୍ୟ କରାଯାଇଛି। ଏହି କାରଣରୁ ଟିମ ଇଣ୍ଡିଆର ଟି-୨୦ ଜର୍ସିରେ ଅଧିନାୟକ ଭାବେ ତାଙ୍କର କମବ୍ୟାକ (ପ୍ରତ୍ୟାବର୍ତ୍ତନ) ହୋଇଛି। ଅନେକ ପ୍ରଶଂସକ ଭାବୁଥିଲେ ଯେ ଆଇସିସି (ICC) ଟ୍ରଫି ଜିତିବା ସତ୍ତ୍ୱେ କପ୍ତାନୀ ପଦରୁ ହଟାଯିବା କଥାଟା ସୂର୍ଯ୍ୟକୁମାର ଯାଦବଙ୍କୁ ପସନ୍ଦ ଆସିନଥିବ। ତେବେ, ସୂର୍ଯ୍ୟ ନିଜ ସାଥୀ ଖେଳାଳି ଶ୍ରେୟସ ଆୟର ଅଧିନାୟକ ହେବା ନେଇ ବେଶ ଖୁସି ଥିବା ଜଣାପଡ଼ିଛନ୍ତି।
ସୂର୍ଯ୍ୟକୁମାର ଯାଦବ ଇନଷ୍ଟାଗ୍ରାମରେ ଶ୍ରେୟସ ଆୟରଙ୍କୁ କୋଳେଇ ନେଇଥିବାର ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି: “ମୁଁ ଏହି କଥାରେ ବହୁତ ଖୁସି ଯେ ଜଣେ ମୁମ୍ୱାଇ ବାସିନ୍ଦା ଟି-୨୦ ଦଳର ସଞ୍ଚାଳନ କରିବେ। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହି ସବୁ ପିଲାମାନେ ଚମତ୍କାର ଏବଂ ସେମାନେ ନିଶ୍ଚିତ ଭାବେ ଆପଣଙ୍କ ବିଚାରକୁ ଗ୍ରହଣ କରିବେ। ଆପଣ ଯେମିତି ଅଛନ୍ତି, ସେମିତି ହିଁ ରୁହନ୍ତୁ। ମୋର ନଜର ଆପଣଙ୍କ ଉପରେ ରହିଛି।”
ଚୟନକର୍ତ୍ତାମାନେ ଭାରତର ଟି-୨୦ ଦଳରେ କିଛି ବଡ଼ ପରିବର୍ତ୍ତନ କରିଛନ୍ତି। ଜୁନ ୬ ତାରିଖରେ ହୋଇଥିବା ପ୍ରେସ କନଫରେନ୍ସରେ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ବ୍ୟତୀତ ଏସିଆନ ଗେମ୍ସ (Asian Games) ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି।
ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ଇଶାନ କିଷାନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ।
ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ସଞ୍ଜୁ ସାମସନ, ଇଶାନ କିଷାନ, ୱାଶଂଟନ ସୁନ୍ଦର, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ବୈଭବ ସୂର୍ଯ୍ୟବଂଶୀ।