Categories: ଖେଳ

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ

ଫ୍ଲୋରିଡା,୧୪ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚରେ ଭାରତ ୧୬୫ ରନ୍‌ କରିଛି। ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୧ ରନ୍‌ କରିଥିବା ବେଳେ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି। ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ରୋମାରିଓ ଶେଫର୍ଡ ୪ ଉଇକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ। ରବିବାରର ମ୍ୟାଚ୍‌ ପାଇଁ ଭାରତ ଅପରିବର୍ତ୍ତିତ ଦଳ ସହିତ ଓହ୍ଲାଇଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ଦୁଇଟି ପରିବର୍ତ୍ତନ କରିଥିଲା।
ଟସ୍‌ ଜିତି ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ୩ ଓଭର ମଧ୍ୟରେ ଉଭୟ ଓପନର ବିଦା ହେବା ସହିତ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ଦୁଇ ଓପନର ଯଶସ୍ବୀ ଜୟସ୍ବାଲ(୫) ଶୁବମାନ ଗିଲ୍‌ ୯ ରନ୍‌ କରି ଆଉଟ ହୋଇଥିଲେ। ଉଭୟ ଖେଳାଳିଙ୍କୁ ପ୍ୟାଭିଲିୟନ ପଠାଇଥିଲେ ବାମହାତୀ ସ୍ପିନର ଅକିଲ୍‌ ହୋସେନ୍‌। ୧୭ ରନ୍‌ରେ ଦୁଇ ଉଇକେଟର ପତନ ଘଟିବା ପରେ ସୂର୍ଯ୍ୟକୁମାର ଯାଦବ(୬୧) ଓ ତିଳକ ବର୍ମା(୨୭) ଇନିଂସ ସମ୍ଭାଳିଥିଲେ। ଉଭୟ ତୃତୀୟ ଉଇକେଟରେ ୪୯ ରନ୍‌ ଯୋଡି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇ ଥିଲେ। ସିରିଜରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସିଥିବା ତିଳକ ଆଉ ଏକ ପ୍ରଭାବୀ ଇନିଂସ ଖେଳିଥିଲେ। ଭାରତକୁ ସଙ୍କଟରୁ ଉଦ୍ଧାର କରିବା ସହିତ ସେ ୧୮ ବଲ୍‌ ଖେଳି ୨୭ ରନ୍‌ କରିଥିଲେ। ଏହି ଇନିଂସରେ ୩ ଚୌକା ଓ ୨ ଛକା ସାମିଲ ଥିଲା। ରଷ୍ଟନ ଚେଜ୍‌ଙ୍କ ବଲକୁ ସିଙ୍ଗଲ ପାଇଁ ଖେଳୁଥିବା ବେଳେ ଲିଡିଂ ଏଜ୍‌ରେ ସେ ଆଉଟ ହୋଇଥିଲେ। ପରେ ସଞ୍ଜୁ ସାମସନ୍‌ ଦୁଇଟି ଚୌକା ସହିତ ୧୩ ରନ୍‌ କରି ଭଲ ଆରମ୍ଭ ପାଇଥିଲେ ହେଁ ଏହାକୁ ବଡ ସ୍କୋରରେ ପରିଣତ କରି ପାରି ନ ଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲ୍‌ ଖେଳି ୧୪ ରନ୍‌ର ଧୀମା ଇନିଂସ ଖେଳିଥିଲେ। ସୂର୍ଯ୍ୟକୁମାର ଯାଦବ ଗୋଟିଏ ପଟରୁ ଆକ୍ରମଣାତ୍ମକ ବ୍ୟାଟିଂ ଜାର ରଖି ୪୫ ବଲ୍‌ରୁ ୬୧ ରନ୍‌ ସ୍କୋର କରିଥିଲେ। ଶେଷ ଆଡକୁ ଅକ୍ଷର ପଟେଲ ୧୩ ରନ୍‌ କରିବାରୁ ଭାରତ ୧୬୫ ରନ୍‌ରେ ପହଞ୍ଚିଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ରୋମାରିଓ ଶେଫର୍ଡ ୪ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅକିଲ ହୋସେନ୍‌ ଓ ଜାସନ୍‌ ହୋଲ୍ଡର ପ୍ରତ୍ୟେକ ୨ଟି ଓ ଆଲଜାରି ଯୋଶେଫ୍‌ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୬୫/୯ (ସୂର୍ଯ୍ୟକୁମାର ଯାଦବ-୬୧, ତିଳକ ବର୍ମା-୨୭, ହାର୍ଦ୍ଦିକ ପାଣ୍ଡ୍ୟ-୧୪, ରୋମାରିଓ ଶେଫର୍ଡ-୪/୩୧, ଅକିଲ ହୋସେନ-୨/୨୪, ରଷ୍ଟନ ଚେଜ୍‌-୧/୨୫)।

Share