ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ ସୂର୍ଯ୍ୟଙ୍କ ପ୍ରତ୍ୟେକ ରାଶି ପରିବର୍ତ୍ତନ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ଏଠାରେ ୧୭ ଅକ୍ଟୋବର ପର୍ଯ୍ୟନ୍ତ ରହିବେ। ଏହି ଗୋଚରର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବ। ତେବେ ବୃଷ, କନ୍ୟା, ବିଛା ଓ ମକର ରାଶି ପାଇଁ ଏହି ସମୟ କ୍ୟାରିୟର ଓ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ। ଅନ୍ୟପକ୍ଷରେ କର୍କଟ, ତୁଳା, କୁମ୍ଭ ଓ ମୀନ ରାଶିର ଜାତକଙ୍କୁ ଏହି ସମୟରେ କିଛି ବିଷୟରେ ସତର୍କ ରହିବାକୁ ପଡ଼ିପାରେ।

ମେଷ ରାଶି ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ମିଶ୍ରିତ ଫଳ ଦେଇପାରେ। ଚାକିରି ଓ ବ୍ୟବସାୟରେ ଆଗକୁ ବଢ଼ିବାର ସୁଯୋଗ ମିଳିବ, ହେଲେ କିଛି ବାଧା ମଧ୍ୟ ଆସିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ପୂରଣ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଆୟର ଉତ୍ସ ଠିକ୍‌ ରହିଲେ ମଧ୍ୟ ଖର୍ଚ୍ଚ ବଢ଼ିବାରୁ ବଜେଟ ପ୍ରଭାବିତ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଭଲ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ, ତେଣୁ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ।

ବୃଷ ରାଶି ପାଇଁ ସୂର୍ଯ୍ୟଙ୍କ ଗୋଚର ଅତ୍ୟନ୍ତ ଶୁଭ ରହିପାରେ। ଚାକିରିଆଙ୍କୁ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବାର ଯୋଗ ରହିଛି। ବ୍ୟବସାୟୀଙ୍କୁ ମଧ୍ୟ ନୂଆ ସୁଯୋଗ ମିଳିପାରେ।
ପ୍ରପର୍ଟି ସମ୍ବନ୍ଧୀୟ ମାମଲାରେ ଲାଭ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ମଜବୁତ ହୋଇପାରେ ଏବଂ ପୂର୍ବରୁ କରିଥିବା ପ୍ରୟାସର ଫଳ ମିଳିପାରେ। ପରିବାରରେ ସୁଖ-ଶାନ୍ତି ରହିବ। ମୋଟାମୋଟି ଭାବେ ଏହି ସମୟ ପରିଶ୍ରମକୁ ସଫଳତାରେ ପରିଣତ କରିପାରେ।

ମିଥୁନ ରାଶି ପାଇଁ ସମୟ ଉତ୍ଥାନ-ପତନ ଭରା ରହିପାରେ। କ୍ୟାରିୟରରେ ଭଲ ସୁଯୋଗ ମିଳିଲେ ମଧ୍ୟ ଏହାର ଫାଇଦା ଉଠାଇବା ପାଇଁ ନିରନ୍ତର ପରିଶ୍ରମ କରିବାକୁ ପଡ଼ିବ। କାମ ମଝିରେ ହଠାତ୍‌ ବାଧା ଆସିବାରୁ ମାନସିକ ଚାପ ବଢ଼ିପାରେ।
ଧନଲାଭର ଯୋଗ ରହିଥିଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। କାହାକୁ ଟଙ୍କା ଧାର ଦେବା କିମ୍ବା ତରବରିଆ ଭାବେ ନିବେଶ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ପରିବାର କିମ୍ବା କର୍ମକ୍ଷେତ୍ରରେ ବିବାଦ ହେଲେ ଆଲୋଚନା ମାଧ୍ୟମରେ ସମାଧାନ କରିବା ଭଲ।

କର୍କଟ ରାଶିର ଜାତକଙ୍କୁ ଏହି ସମୟରେ ବିଶେଷ ସତର୍କ ରହିବାକୁ ପଡ଼ିପାରେ। ଚାକିରି ଓ ବ୍ୟବସାୟରେ ବାଧା ଆସିବାରୁ ମନ ଅଶାନ୍ତ ହୋଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବିଳମ୍ବ ହୋଇପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ସତର୍କ ରହନ୍ତୁ। ହଠାତ୍‌ ଖର୍ଚ୍ଚ କିମ୍ବା ଧନହାନିର ପରିସ୍ଥିତି ଉପୁଜିପାରେ। ବିନା ଚିନ୍ତାରେ ବଡ଼ ନିବେଶ କରନ୍ତୁ ନାହିଁ। ସ୍ବାସ୍ଥ୍ୟକୁ ଅଣଦେଖା ନକରି କାମ ସହ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ।

ସିଂହ ରାଶି ପାଇଁ ଏହି ଗୋଚର ମିଶ୍ରିତ ଫଳ ଦେଇପାରେ। ଚାକିରି ଓ ବ୍ୟବସାୟରେ ଆଗକୁ ବଢ଼ିବାର ସୁଯୋଗ ମିଳିଲେ ମଧ୍ୟ ପ୍ରତ୍ୟେକ କାମ ସହଜରେ ପୂରଣ ହେବ ନାହିଁ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ ଏବଂ ଫଳ ମିଳିବାରେ ସମୟ ଲାଗିପାରେ। ଆୟ ବଢ଼ିବା ସହ ଖର୍ଚ୍ଚ ମଧ୍ୟ ବଢ଼ିପାରେ। କର୍ମକ୍ଷେତ୍ରରେ ଚାପ କିମ୍ବା କୌଣସି ବ୍ୟକ୍ତିଙ୍କ ସହ ମତଭେଦ ହୋଇପାରେ। ତେଣୁ ଅହଂକାର ଓ ତରବରିଆ ନିଷ୍ପତ୍ତିରୁ ଦୂରେଇ ରହିବା ଭଲ।

କନ୍ୟା ରାଶି ପାଇଁ ସୂର୍ଯ୍ୟଙ୍କ ଗୋଚର ଶୁଭ ଫଳ ଆଣିପାରେ। ଚାକିରିରେ ପଦ, ପ୍ରତିଷ୍ଠା ଓ ଦାୟିତ୍ୱ ବଢ଼ିପାରେ। ବ୍ୟବସାୟୀଙ୍କୁ ନୂଆ ସମ୍ପର୍କ ଓ ଭଲ ସୁଯୋଗ ମିଳିପାରେ। ପ୍ରପର୍ଟି ଓ ଆର୍ଥିକ ମାମଲାରେ ମଧ୍ୟ ଲାଭର ସମ୍ଭାବନା ରହିଛି। ଦୀର୍ଘଦିନ ଧରି ଅଟକିଥିବା କୌଣସି ଆର୍ଥିକ କାମ ଆଗକୁ ବଢ଼ିପାରେ। ପରିବାରର ସହଯୋଗ ମିଳିବା ସହ ଘରର ପରିବେଶ ସକାରାତ୍ମକ ରହିପାରେ।

ତୁଳା ରାଶି ପାଇଁ ଏହି ସମୟ ସତର୍କତାର ସହ ଚାଲିବାର ହୋଇପାରେ। କର୍ମକ୍ଷେତ୍ରରେ ଏପରି ପରିସ୍ଥିତି ଆସିପାରେ, ଯାହା କାମରେ ବିଳମ୍ବ କିମ୍ବା ବାଧା ସୃଷ୍ଟି କରିବ। ଅଫିସରେ କାହା ସହ ବିବାଦ ନକରି ନିଜ ଦାୟିତ୍ୱ ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ମାମଲାରେ ମଧ୍ୟ ସତର୍କ ରହିବା ଆବଶ୍ୟକ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ ଏବଂ ଧନହାନିର ଆଶଙ୍କା ରହିପାରେ। ଋଣ ନେବା କିମ୍ବା ବିନା ତଥ୍ୟରେ ନିବେଶ କରିବାରୁ ଦୂରେଇ ରହନ୍ତୁ।

ବିଛା ରାଶି ପାଇଁ ସୂର୍ଯ୍ୟଙ୍କ ଗୋଚର ଅନୁକୂଳ ରହିପାରେ। ଚାକିରି ଓ ବ୍ୟବସାୟରେ ସଫଳତା ମିଳିପାରେ। ପରିଶ୍ରମର ଭଲ ଫଳ ମିଳିବା ସହ କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜବୁତ ହୋଇପାରେ। ଧନ ଓ ପ୍ରପର୍ଟି ସମ୍ବନ୍ଧୀୟ ମାମଲାରେ ଲାଭର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଭାଗ୍ୟର ସାଥ ମିଳିବାରୁ ଅଟକିଥିବା ଅନେକ କାମ ପୂରଣ ହୋଇପାରେ।

ଧନୁ ରାଶି ପାଇଁ ସମୟ ମିଶ୍ରିତ ରହିପାରେ। କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିଲେ ମଧ୍ୟ କିଛି କାମରେ ବିଳମ୍ବ କିମ୍ବା ବାଧା ଆସିପାରେ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦିଗକୁ ଭଲ ଭାବେ ବିଚାର କରନ୍ତୁ। ଆୟ ସହ ଖର୍ଚ୍ଚ ବଢ଼ିପାରେ। ତେଣୁ ଟଙ୍କାର ସଠିକ ପରିଚାଳନା ଜରୁରୀ। କାମର ଚାପ ଯୋଗୁଁ ମାନସିକ ଚାପ କିମ୍ବା ସୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।

ମକର ରାଶି ପାଇଁ ସୂର୍ଯ୍ୟ ଗୋଚର ବେଶ ସକାରାତ୍ମକ ରହିପାରେ। ଚାକିରିରେ ପଦୋନ୍ନତି ଓ ନୂଆ ଦାୟିତ୍ୱ ମିଳିବାର ଯୋଗ ରହିଛି। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିପାରେ ଏବଂ ବ୍ୟବସାୟ ବିସ୍ତାର ଦିଗରେ ସଫଳତା ମିଳିପାରେ।
ପ୍ରପର୍ଟି ସମ୍ବନ୍ଧୀୟ ମାମଲାରେ ଲାଭ ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ। ପରିବାରରେ ଖୁସି ରହିବ ଏବଂ ନିଜ ଲୋକଙ୍କ ସହଯୋଗ ମିଳିବ।

କୁମ୍ଭ ରାଶିର ଜାତକଙ୍କୁ ଏହି ସମୟରେ ସାବଧାନତାର ସହ ପଦକ୍ଷେପ ନେବାକୁ ପଡ଼ିପାରେ। ଚାକିରି କିମ୍ବା ବ୍ୟବସାୟରେ ହଠାତ୍‌ ବାଧା ଆସିପାରେ। ଆଶାନୁଯାୟୀ ସଫଳତା ନମିଳିବାରୁ ଚାପ ବଢ଼ିପାରେ। ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ସହ ବଡ଼ ନିବେଶରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ହୋଇପାରେ।

ମୀନ ରାଶି ପାଇଁ ଏହି ସମୟ କିଛିଟା ଚ୍ୟାଲେଞ୍ଜିଂ ରହିପାରେ। କର୍ମକ୍ଷେତ୍ରରେ ବାଧା ଯୋଗୁ ଯୋଜନା ପ୍ରଭାବିତ ହୋଇପାରେ। ପରିଶ୍ରମ କରିବା ପରେ ମଧ୍ୟ ଫଳ ପାଇବାରେ ବିଳମ୍ବ ହୋଇପାରେ। କୌଣସି ବିବାଦରେ ଜଡ଼ିତ ହେବା ପରିବର୍ତ୍ତେ ଶାନ୍ତ ରହିବା ଭଲ। ଆର୍ଥିକ ସ୍ଥିତି ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ହଠାତ୍‌ ଖର୍ଚ୍ଚ ବଢ଼ିପାରେ କିମ୍ବା ଧନ ସମ୍ବନ୍ଧୀୟ ସମସ୍ୟା ଆସିପାରେ। ଋଣ ନେବା ଓ ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରହିବା ଭଲ।

Dharitri – Odisha’s No.1 Odia Daily

Share
Tags: rashiphala