Categories: ଜାତୀୟ

ଛାତ୍ରୀଙ୍କୁ ଘେରିଗଲେ ସାଫ୍ରନ ସ୍କାର୍ଫ ଗ୍ରୁପ୍‌

ମାଣ୍ଡ୍ୟା(କର୍ନାଟକ),୮।୨: କର୍ନାଟକର ବିଭିନ୍ନ କଲେଜ କ୍ୟାମ୍ପସରେ ମଙ୍ଗଳବାର ମୁହଁାମୁହିଁ ହୋଇଛନ୍ତି ହିଜାବ ଏବଂ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରୀଛାତ୍ର ଗ୍ରୁପ୍‌। ମାଣ୍ଡ୍ୟାର ଏକ କଲେଜରେ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରଗୋଷ୍ଠି ଜଣେ ବୁର୍ଖା ପିନ୍ଧିଥିବା ଛାତ୍ରୀଙ୍କ ଆଗରେ ସ୍ଲୋଗାନ ବାଜି କରୁଥିବା ଘଟଣାର ଭିଡିଓ ଭାଇରାଲ ହୋଇଛି।

ଘଟଣାର ଭିଡିଓରେ ମୁସଲିମ ଯୁବତୀ ସ୍କୁଟି ରଖିବା ପରେ କଲେଜ ବିଲ୍ଡିଂକୁ ଯାଉଥିଲେ। ସେହି ସମୟରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ସହ ତାଙ୍କ ଆଡ଼କୁ ମାଡ଼ି ଆସିଥିଲେ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରଗୋଷ୍ଠୀ।

ଛାତ୍ରମାନେ ତାଙ୍କ ପିଛା କରୁଥିବା ବେଳେ ସେ ‘ଅଲାହ ହୁ ଆକବର’ ସ୍ଲୋଗାନ ଦେଇଥିଲେ। ଭିଡିଓ କରୁଥିବା ବ୍ୟକ୍ତିଙ୍କ ପାଖରେ ଛିଡ଼ା ହୋଇ ଛାତ୍ରୀ କହିଥିଲେ, ‘ମୁଁ ଯଦି ବୁର୍ଖା ପିନ୍ଧିଛି ଅସୁବିଧା କ’ଣ ’। ତା’ପରେ କଲେଜ ଅଧିକାରୀ ଛାତ୍ରୀଙ୍କୁ ନେଇ ଯାଉଥିବା ଦେଖିବାକୁ ମିଳୁଛି।

ଉଡୁପିର ମହାତ୍ମା ଗାନ୍ଧୀ ମେମୋରିଆଲ (ଏମ୍‌ଜିଏମ୍‌) କଲେଜରେ ହିଜାବ ଓ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପ୍ରୟାସ ଚଲାଇଛି। ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ଉଡୁପି ଜିଲାର ଏକ ସରକାରୀ କଲେଜର ୫ ମହିଳାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣିକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Share