ମନ୍ତ୍ରୀଙ୍କ ବାସଭବନ ଘେରାଉ ପୂର୍ବରୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୨୫।୫୫(ବ୍ୟୁରୋ): ନ୍ୟାୟ ପାଇଁ ଲଢ଼େଇ କରୁଥିବା ରାଜ୍ୟର ୨୧ ପରିବାରର ମା’ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଅଡ଼ୁଆରେ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ଦେବା ସତ୍ତ୍ୱେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସମ୍ପୃକ୍ତ ପରିବାର ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରିବାର ସଦସ୍ୟମାନେ ଭିନ୍ନ ଭିନ୍ନ ପ୍ଲାକାର୍ଡ ଧରି ପୂର୍ବାହ୍ନ ପ୍ରାୟ ୧୧ଟାରେ ମନ୍ତ୍ରୀଙ୍କ ବାସଭବନ ନିକଟକୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଯାଇଥିଲେ। ସେମାନେ ସେଠାରେ ପହଞ୍ଚତ୍ବା ପୂର୍ବରୁ ପୋଲିସ ସେମାନଙ୍କୁ ଅଟକାଇବା ସହ ବଳପୂର୍ବକ ଉଠାଇ ଆଣି ଲୋୟର ପିଏମ୍‌ଜିରେ ଛାଡ଼ିଥିଲା। ଫଳରେ ସେମାନେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ତ୍ରୀ ସୁଶାନ୍ତ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେ ଦେଇଥିବା ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ। ନ୍ୟାୟ ପାଇଁ ଲଢ଼ୁଥିବା ପରିବାର ମଧ୍ୟରୁ ଯାଜପୁରର ନିଖୋଜ ନାବାଳିକା ପିହୁଙ୍କ ମା’ ମୋନାଲିସା ନାୟକ କହିଛନ୍ତି, ଆମେମାନେ ଗଣମାଧ୍ୟମରେ ଲୋକପ୍ରିୟ ହେବା ପାଇଁ ଏପରି କରୁଛୁ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ହୀନ ମନ୍ତବ୍ୟ ଦେଇଛନ୍ତି। ସରକାର ନ୍ୟାୟ ନ ଦେଇ ଆମ ଉପରେ ମାନସିକ ନିର୍ଯାତନା ଦେଉଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ବିଭିନ୍ନ ଜିଲାରେ ହତ୍ୟା, ଶିଶୁ ଚୋରି ଘଟଣାରେ ରାଜ୍ୟ ସରକାର ଓ ପୋଲିସ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପରେ ଅସନ୍ତୁଷ୍ଟ ହୋଇ ୨୧ ପରିବାର ବହୁ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି। ବିଭିନ୍ନ ସମୟରେ ବିକ୍ଷୋଭ କରିବା ସହ ସେମାନଙ୍କ ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରୁଛନ୍ତି। ମେ ୮ ମାତୃ ଦିବସରେ ସମ୍ପୃକ୍ତ ପରିବାରର ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିବିଆଇ ତଦନ୍ତ କିମ୍ବା ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଥିଲେ। ତେବେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଏହି ମା’ମାନେ ଗଣମାଧ୍ୟମରେ ଲୋକପ୍ରିୟତା ପାଇବା ପାଇଁ ଏହା କରୁଛନ୍ତି ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ଗଣମାଧ୍ୟମରେ ବିବାଦୀୟ ବୟାନ ଦେଇଥିଲେ।