Categories: ଜାତୀୟ

ସରୋଗେସି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୧୮।୧୨(ପି.ଟି.): ଲଖିମପୁର ଖେରି ହିଂସା ଘଟଣାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ସରୋଗେସି ବିଲ୍‌ ଗୃହୀତ ହୋଇଯାଇଛି। ସରୋଗେସି (ନିୟନ୍ତ୍ରଣ) ବିଲ୍‌, ୨୦୧୯ରେ ରାଜ୍ୟ ସଭା ଆଣିଥିବା ସଂଶୋଧନ ଗ୍ରହଣ କରିବାକୁ ଲୋକ ସଭା ରାଜି ହୋଇଥିଲା। ଗତ ୧୪ ତାରିଖରେ ରାଜ୍ୟ ସଭା ଉକ୍ତ ବିଲ୍‌ରେ ସଂଶୋଧନ କରିବା ସହ ଅନୁମୋଦନ କରିଥିଲା। ଏହା ବ୍ୟତୀତ ନିମ୍ନ ସଦନରେ ଅପରାହ୍ନରେ ଅନ୍ୟ ୩ଟି ବିଲ୍‌ ଆଗତ କରାଯାଇଥିଲା। ସେଗୁଡ଼ିକ ହେଲା ନ୍ୟାଶନାଲ ଆଣ୍ଟି-ଡୋପିଙ୍ଗ୍‌ ବିଲ୍‌, ୨୦୨୧, ବନ୍ୟପ୍ରାଣୀ (ସୁରକ୍ଷା) ସଂଶୋଧନ ବିଲ୍‌, ୨୦୨୧ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ୍‌ ଆଣ୍ଡ ଓ୍ବାର୍କସ୍‌ ଆକାଉଣ୍ଟାଣ୍ଟ ଏବଂ କମ୍ପାନୀ ସେକ୍ରେଟାରୀ (ସଂଶୋଧନ) ବିଲ, ୨୦୨୧। ସରୋଗେସି ବିଲ୍‌ ଗୃହୀତ ହେବା ପରେ ବିରୋଧୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ହଟ୍ଟଗୋଳ ଜାରି ରଖିବାରୁ ଅଧ୍ୟକ୍ଷତା କରୁଥିବା ରାଜେନ୍ଦ୍ର ଅଗ୍ରଓ୍ବାଲ୍‌ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ରାଜ୍ୟ ସଭାର ୧୨ ଏମ୍‌ପିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ବିରୋଧୀମାନେ ଶୁକ୍ରବାର ହଟ୍ଟଗୋଳ ଜାରି ରଖିଥିଲେ। ଏହା ଉପରେ ଆଲୋଚନା କରି ସହମତିରେ ପହଞ୍ଚତ୍ବା ଲାଗି ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ସରକାରୀ ଓ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଥିଲେ। ଏନେଇ ସେ ଗୃହର ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳର କେତେଜଣ ବରିଷ୍ଠ ସଦସ୍ୟଙ୍କୁ ଭେଟି ଆଲୋଚନା ପାଇଁ କହିଥିବା ଭେଙ୍କାୟା ଗୃହକୁ ଜଣାଇଥିଲେ। ଏଥିସହିତ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଗଲା ବୋଲି ଅଧ୍ୟକ୍ଷ କହିଥିଲେ।

Share