ଦୁଇ ଅଭିଯୁକ୍ତ ଷ୍ଟକିଷ୍ଟଙ୍କ ଆତ୍ମସମର୍ପଣ

କଟକ ଅଫିସ,୧୩ା୯:କଟକରେ ନକଲି ଔଷଧ କାରବାର ମାମଲାରେ କମିଶନରେଟ ପୋଲିସର ତନାଘନା ଆରମ୍ଭ ହୋଇଛି। ଫେରାର ଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଦୁଇ ଅଭିଯୁକ୍ତ ଷ୍ଟକିଷ୍ଟ ସୋମବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଯାଉଁଳିଆପଟି ପୂଜା ଏଣ୍ଟରପ୍ରାଇଜ୍‌ର ମାଲିକ ସଞ୍ଜୟ ଜଲାନ ଏବଂ ମାଣିକଘୋଷ ବଜାରସ୍ଥିତ ଭି. ଆର୍‌. ଡ୍ରଗ ଏଜେନ୍ସିର ରାହୁଲ କ୍ୟାଲ। ପୋଲିସ ସେମାନଙ୍କୁ ଧରି ମେଡିସିନ ଗୋଦାମରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଡିସିପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ, ନକଲି ମେଡିସିନ କାରବାର ନେଇ ଡ୍ରଗ ଇନ୍ସପେକ୍ଟରଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟ ଜଲାନ, ତାଙ୍କ ସ୍ତ୍ରୀ ଚଞ୍ଚଲ ଜଲାନ ଓ ମାଣିକଘୋଷ ବଜାରର ଭି. ଆର. ଡ୍ରଗ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ, ତାଙ୍କ ସ୍ବାମୀ ରାହୁଲ କ୍ୟାଲଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ସେମାନେ ଫେରାର ଥିଲେ। ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ସୋମବାର ଉଭୟେ ଆତ୍ମସମର୍ପଣ କରିଛନ୍ତି। ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଦୁଇ ମେଡିସିନ ଗୋଦାମର ମାଲିକାନା ଅନ୍ୟ ଅଭିଯୁକ୍ତ ଦ୍ୱୟଙ୍କ ନାମରେ ଥିବାବେଳେ ଆତ୍ମସମର୍ପଣ କରିଥିବା ଅଭିଯୁକ୍ତଦ୍ୱୟ ମଧ୍ୟ ସିଧାସଳଖ ମେଡିସିନ କାରବାରରେ ସମ୍ପୃକ୍ତ। ପୋଲିସ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଣେ ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି। ମେଡିସିନ ଗୋଦାମରେ ଚଢ଼ାଉ ପରେ ଜବତ ହୋଇଥିବା କାଗଜପତ୍ରକୁ ଯାଞ୍ଚ କରାଯିବ। ଏହି କାରବାର ସହ ଆଉ କେଉଁମାନେ ସମ୍ପୃକ୍ତ, ନକଲି ମେଡିସିନ କେଉଁଠୁ ଆସୁଥିଲା, ଅନ୍ୟ ଏଜେନ୍ସି ନକଲି ମେଡିସିନ କିଣିଛନ୍ତି କି ଏବଂ କେଉଁମାନେ ବିଜ୍‌ନେସ ପାର୍ଟନର ଭାବେ ରହିଛନ୍ତି ଆଦି ଅନେକ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି। ସାଧାରଣ ଲୋକଙ୍କ ଜୀବନ ସହ ଏହି ମାମଲା ଜଡ଼ିତ ଥିବାରୁ ଏହାର ପ୍ରତିଟି ଦିଗକୁ ପୋଲିସ ଗୁରୁତର ସହ ବିଚାର କରୁଛି। ଦୁଇ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚୁରା କରୁଛି ବୋଲି ଡିସିପି କହିଛନ୍ତି।
ସୂଚନାଯୋଗ୍ୟ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଟେଲ୍‌ମା-୪୦ ଏବଂ ଟେଲ୍‌ମା- ଏଏମ୍‌ ଟାବ୍‌ଲେଟକୁ ନକଲି କରି ବିକ୍ରି ନେଇ ଅଭିଯୋଗ ହୋଇଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଡ୍ରଗ୍ସ ଆଣ୍ଡ କସ୍‌ମେଟିକ୍ସ ଆକ୍ଟରେ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ ଷ୍ଟକିଷ୍ଟଙ୍କ ନାମରେ ୨ଟି ମାମଲା ଓ ପୁରୀଘାଟ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି।