ହାର୍ଡକୋର ମାଓବାଦୀ ସକାଲୁଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୫ା୨(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାରେ ମାଓବାଦୀ ଦମନ ଅଭିଯାନ ଚାଲିଛି। ତେବେ ଛତିଶଗଡ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ଶୁକ୍ରବାର ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ମାଓବାଦୀ ସଙ୍ଗଠନର ମିଲିସିଆ କମ୍ପାନୀ ଡେପୁଟି କମାଣ୍ଡର ସୁକାଲୁ ମାଡକମ। ସେ ଦାନ୍ତେୱାଡା ଜିଲାର ଭୈରମଗଡ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଛତିଶଗଡ଼ ସରକାରଙ୍କ ଥଇଥାନ ନୀତି ଦ୍ୱାରା ପ୍ରଭାବିତ ହୋଇ ସୁକାଲୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ଜିଲା ଏସ୍‌ପି ଗୋବର୍ଦ୍ଧନ ରାମଠାକୁର, ସିଆରପିଏଫ କମାଣ୍ଡାଣ୍ଟ ଦୀନେଶ ସିଂ ଚାନ୍ଦେଲ, ଅତିରିକ୍ତ ପୋଲିସ ଅଧୀକ୍ଷକ ରାମ କୁମାର ବର୍ମନଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଆତ୍ମସମର୍ପଣ ପରେ ସୁକାଲୁ ପୂର୍ବରୁ ଅନେକ ମାଓବାଦୀ ସଙ୍ଗଠନରେ ସାମିଲ ରହି ବଡ ବଡ ହିଂସାକାଣ୍ଡରେ ଜଡିତ ଥିବା ସ୍ବୀକାର କରିଛନ୍ତି। ତେବେ ପୂର୍ବପରି ମାଓବାଦୀ ସଙ୍ଗଠନ ନିଜ ନୀତି ଆଦର୍ଶରେ ଚାଲୁ ନଥିବା ଏବଂ ପଥଭ୍ରଷ୍ଟ ହୋଇଥିବାରୁ ସେ ସଙ୍ଗଠନ ଛାଡିଥିବା କହିଛନ୍ତି। ମାଓବାଦୀ ସଙ୍ଗଠନରେ କ୍ୟାଡର ମାଓବାଦୀ ଅତ୍ୟାଚାର କରୁଛନ୍ତି ବୋଲି ସକାଲୁ ଅଭିଯୋଗ କରି ଛତିଶଗଡ଼ ସରକାରଙ୍କ ଥଇଥାନ ନୀତିରେ ଆକୃଷ୍ଟ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସକାଲୁଙ୍କ ସାଧାରଣ ଜୀବନଯାପାନ ପାଇଁ ଛତିଶଗଡ଼ ସରକାରଙ୍କ ରହିଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।