୩୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ପୋଲିସ ନିକଟରେ ଗୁରୁବାର ୩୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ହାର୍ଡକୋର ମାଓବାଦୀ ଅଛନ୍ତି। ସେମାନଙ୍କ ନାମରେ ଛତିଶଗଡ଼ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଛତିଶଗଡ଼ରେ ବହୁ ସିଆର୍‌ପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେବାରୁ ମାଓବାଦୀମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଥିବା ସୁକ୍‌ମା ଏସ୍‌ପି କହିଛନ୍ତି। ଅନ୍ୟପକ୍ଷେ ଛତିଶଗଡ଼ରେ ପୋଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ବହୁ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ପ୍ରତି ଗାଁରେ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାଳୟ, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ପ୍ରଭାବିତ ହୋଇ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତକୁ ଫେରୁଛନ୍ତି। ତେବେ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।