ଫେରାର ୨ ଭାଇଙ୍କ କୋର୍ଟରେ ଆତ୍ମସମର୍ପଣ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ଅଞ୍ଚଳରେ ଜେଲଫେରନ୍ତା ସରୋଜ ତ୍ରିପାଠୀଙ୍କୁ ଗୋଡ଼ାଇ ହାଣିବା ଘଟଣାରେ ଫେରାର ମୁଖ୍ୟ ଅଭିଯୁକ୍ତ ତଥା ଦୁଇଭାଇ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବିରଞ୍ଚି ନାରାୟଣ ବେହେରା ଓରଫ ବାଙ୍ଗୁ ଓ ଲିଙ୍ଗରାଜ ବେହେରା ଓରଫ ଟିକ। କୋର୍ଟ ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତଦ୍ୱୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଏହି ମାମଲାରେ ଅନ୍ୟ ୩ ଅଭିଯୁକ୍ତ ସୁମନ ଓରଫ ସୋମନାଥ ନାୟକ, ବାପି ଓରଫ ଲୋକନାଥ ବେହେରା ଓ କାହ୍ନା ଓରଫ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରାଯାଇଥିବାବେଳେ ସେମାନେ ଏବେ ଜେଲରେ ଅଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ୮ ଅର୍ଥାତ୍‌ ହୋଲି ଦିନ ଭୀମଟାଙ୍ଗୀ ଏଚ୍‌ବି କଲୋନୀରେ ବାଙ୍ଗୁ ଓ ସରୋଜଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ବାଙ୍ଗୁଙ୍କ ଡାହାଣ ହାତ ଭାଙ୍ଗିଯାଇଥିଲା। ଏନେଇ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ସରୋଜଙ୍କୁ ଗିରଫ କରି ଜେଲ ପଠାଇଥିଲା। ତେବେ ସରୋଜ ଜେଲରେ ଥିବାବେଳେ ବାଙ୍ଗୁ ଓ ଅନ୍ୟମାନେ ଷଡ଼ଯନ୍ତ୍ର କରିଥିଲେ। ଏପ୍ରିଲ ୪ରେ ସରୋଜ ଜେଲରୁ ଜାମିନରେ ଆସିଥିଲେ। ମଙ୍ଗଳବାର ସକାଳ ପ୍ରାୟ ୭ଟା ୩୦ରେ ଭୀମଟାଙ୍ଗୀ ଅନ୍ତର୍ଗତ ଓମ୍‌ଫେଡ ପାର୍ଲର ନିକଟରେ ସରୋଜ ଚା’ ପିଉଥିବା ବେଳେ ଅଭିଯୁକ୍ତମାନେ ସରୋଜଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ଓ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ। ଆକ୍ରମଣରେ ସରୋଜ ଗୁରୁତର ହୋଇଥିଲେ। ଏନେଇ ସରୋଜଙ୍କ ଭାଇ ମନୋଜରଞ୍ଜନଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା (ନଂ.୯୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।