Categories: ଜାତୀୟ

ଏବେ ଆରମ୍ଭ ହେବ ସର୍ଜିକାଲ ଅପରେଶନ୍‌…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଟାର୍ଗେଟ୍‌ କିଲିଂ ସହିତ ସମ୍ପୃକ୍ତ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏବେ ସର୍ଜିକାଲ ଅପରେଶନ୍‌ ପାଇଁ ଯୋଜନା କରାଯାଇଛି। ଆତଙ୍କବାଦର ମୁକାବିଲା ପାଇଁ ଜମ୍ମୁ-କଶ୍ମୀର ପୋଲିସ, ଗୁପ୍ତଚର ଏଜେନ୍ସି ଏବଂ ସେନାବାହିନୀ ମଧ୍ୟରେ ସମନ୍ବୟ ମାଧ୍ୟମରେ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସୁରକ୍ଷା ଏଜେନ୍ସି କହିଛି। ଗତ ମାସରେ ଜମ୍ମୁ-କଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା।

ଏହାଦ୍ୱାରା ଏହି ଅଞ୍ଚଳରେ ହିଂସା ଓ ଉତ୍ତେଜନା ବୃଦ୍ଧି ହେବାର ସମ୍ଭାବନା ଥିଲା। ନିରୀହ ଲୋକଙ୍କ ହତ୍ୟାକୁ ରୋକିବା ପାଇଁ ଆତଙ୍କବାଦ ବିରୋଧରେ କରାଯାଉଥିବା ଅପରେଶନର ମୁଖ୍ୟ ଲକ୍ଷ୍ୟଥିଲା। ସୂତ୍ରରୁ ପ୍ରକାଶ ଯେ ଗୁପ୍ତଚର ଇନପୁଟ ଅନୁଯାୟୀ ପାକିସ୍ତାନୀ ଆତଙ୍କବାଦୀମାନେ କାଶ୍ମୀରରେ କାର୍ଯ୍ୟ କରୁଥିବା ପ୍ରକ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେତେବେଳେ ବି ସୁରକ୍ଷା ବାହିନୀ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଆରମ୍ଭ କରିବେ ସେତେବେଳେ ଅତି କମରେ ୧୦ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯିବ।

୨୦୧୮ରେ ବିଭିନ୍ନ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ ୨୪ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯ ଜଣ ଆହତ ହୋଇଥିବା ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି। ଗତ ତିନିବର୍ଷ ମଧ୍ୟରେ ସୁରକ୍ଷା ବାହିନୀ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିଲେ ଏବଂ ଏହି ପ୍ରୟାସର ଫଳ ସ୍ବରୂପ କେବଳ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ। ଜମ୍ମୁ-କଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ କହିଛନ୍ତି ଯେ ହାଇଦାରପୋରା ଏନକାଉଣ୍ଟର ଅନୁସନ୍ଧାନରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଏକ ନେଟୱାର୍କ ଗଠନ କରିଛନ୍ତି।

୨୦୧୮ ରେ ୩୧୮ ଟି ଆତଙ୍କବାଦୀ ଘଟଣା ଘଟିଥିବାବେଳେ ୨୦୨୧ରେ କେବଳ ୧୨୧ଟି ଘଟଣା ଘଟିଛି। ସେହିଭଳି ୨୦୧୯ରେ ୨୦୨ ଟି ପଥର ଫିଙ୍ଗିବା ଘଟଣା ହୋଇଥିବାବେଳେ ୨୦୨୧ ରେ କେବଳ ୩୯ ଟି ମାମଲା ରୁଜୁ ହୋଇଛି।

Share