Categories: ଖେଳ

ଏହି କ୍ରିକେଟର୍‌ଙ୍କ ପାଦ ଛୁଇଁଲେ ସୁରେଶ ରାଇନା

ମୁମ୍ବାଇ,୨୩।୪: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ବୁଧବାର କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଭେଟିଥିଲା। ସିଏସ୍‌କେ ଏହି ମ୍ୟାଚକୁ ୧୮ ରନ୍‌ରେ ଜିତିଥିଲା। ଏହି ମ୍ୟାଚ ପୂର୍ବରୁ ଏକ ମଜାଦାର ଘଟଣା ଘଟିଥିଲା। ଅଭ୍ୟାସ ଅଧିବେଶନରେ ସିଏସକେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେକେଆର ସ୍ପିନର ହରଭଜନ ସିଂଙ୍କ ପାଦ ଛୁଇଁଥିଲେ। ରାଇନା ହରଭଜନଙ୍କ ପାଦ ଛୁଇଁବା ମାତ୍ରେ ସେ ରାଇନାଙ୍କୁ ଆଲିଙ୍ଗନ କରିଥିଲେ। ପଡ଼ିଆରେ ଦୁଇ ଭେଟେରାନଙ୍କ ମଧ୍ୟରେ ଏପରି ସମ୍ମାନ ଏବଂ ବନ୍ଧୁତା ଦେଖି ପ୍ରଶଂସକମାନେ ମଧ୍ୟ ଖୁସି ହୋଇଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି।
ହରଭଜନ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି।ଏହି ସମୟରେ ରାଇନା ମଧ୍ୟ ଏହି ଦଳ ସହିତ ଥିଲେ। ଏହି ସିଜିନ ପୂର୍ବରୁ, ସିଏସ୍‌କେ ହରଭଜନ ମୁକ୍ତ କରିଥିଲା ଏବଂ କୋଲକାତା ଦଳ ହରଭଜନଙ୍କୁ କିଣିଥିଲା। ବୁଧବାର ସିଏସ୍‌କେ ବିପକ୍ଷ ମ୍ୟାଚରେ ହରଭଜନ ପ୍ଲେ -୧୧ର ଅଂଶ ହୋଇ ନ ଥିଲେ। ଅନ୍ୟପକ୍ଷରେ ରାଇନାଙ୍କୁ ଏହି ମ୍ୟାଚ୍‌ରେ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା।

Share