Categories: ଖେଳ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କଲେ କ୍ରିକେଟର ସୁରେଶ ରାଇନା

ଜଳନ୍ଧର,୧।୯: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୋଲିସ ନିକଟରେ ସହାୟତା ପାଇଁ ନିବେଦନ କରିଛନ୍ତି। ଅଗଷ୍ଟ ୧୯ରେ ପଠାନକୋଟ ଅନ୍ତର୍ଗତ ମାଧୋପୁର ଅଞ୍ଚଳର ଥାରିଆଲ ଗ୍ରାମରେ ଥିବା ସୁରେଶ ରାଇନାଙ୍କ ମାଉସୀଙ୍କ ଘର ଉପରେ ଅଜ୍ଞାତ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ। ଏଥିରେ ସୁରେଶ ରାଇନାଙ୍କ ମଉସାଙ୍କର ମୃତ୍ୟୁ ହୋଇଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଗୁରୁତର ଆହତ ହୋଇଥିଲେ। ରାଇନାଙ୍କ ମାଉସୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏତେ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ। ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଞ୍ଜାବ ସରକାରଙ୍କୁ ରାଇନା ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସୁରେଶ ରାଇନା ଦୁଇଟି ଟୁଇଟ କରିଛନ୍ତି। ପ୍ରଥମ ଟୁଇଟ୍‌ରେ ସେ କହିଛନ୍ତି, ପଞ୍ଜାବରେ ମୋ ପରିବାର ସହିତ ଯାହା ଘଟିଲା ତାହା ଭୟଙ୍କର ଥିଲା। ମୋ ମଉସାଙ୍କୁ ହତ୍ୟା କରାଯାଇଛି। ମାଉସୀ ଏବଂ ମୋର ଦୁଇ ସମ୍ପର୍କୀୟ ଗୁରୁତର ଆହତ ହୋଇଥିଲେ। ଦୁର୍ଭାଗ୍ୟବଶତ ଗତ ରାତିରେ ଜୀବନ ସହ ସଂଗ୍ରାମ କରୁଥିବାବେଳେ ମୋର ଜଣେ ସମ୍ପର୍କୀୟ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ମୋର ମାଉସୀ ତଥାପି ଏବେ ବି ଭେଣ୍ଟିଲେଟରରେ ଅଛନ୍ତି। ଆଉ ଏକ ଟୁଇଟ୍‌ରେ ରାଇନା କହିଛନ୍ତି, ଆଜି ପର୍ଯ୍ୟନ୍ତ ଆମେ ଜାଣି ନାହୁଁ ସେହି ରାତିରେ କ’ଣ ଘଟିଥିଲା ଏବଂ କିଏ ଏହା କରିଛି। ମୁଁ ପଞ୍ଜାବ ପୋଲିସକୁ ଏହି ଘଟଣାର ଦୃଷ୍ଟି ଦେବାକୁ ଅନୁରୋଧ କରୁଛି। ସେମାନଙ୍କ ସହିତ ଏହି ଘୃଣ୍ୟ କାର୍ଯ୍ୟ କିଏ କରିଛି ତାହା ଜାଣିବା ପାଇଁ ଆମେ ହକଦାର। ସେହି ଅପରାଧୀଙ୍କୁ ଦଣ୍ଡ ଦିଅଯିବା ଉଚିତ ବୋଲି ରାଇନା କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନିବେଦନ କରିଛନ୍ତି।

Share