ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ତାଙ୍କୁ ଚୟନ କରାଯାଇନଥିବା ନେଇ ରାଇନା ଏବେ ନିଜ ମତ ରଖିଛନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ବେଳେ ରାଇନା ଏହି ବିଷୟରେ କିଛି କଥା ସେୟାର କରିଛନ୍ତି।
ରାଇନା ଭାରତ ପାଇଁ ୨୨୬ଟି ଦିନିକିଆ ଓ ୭୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଟେଷ୍ଟ ମଧ୍ୟ ଖେଳିଛନ୍ତି। ତେବେ ୨୦୧୮ରେ ସେ ଶେଷଥର ପାଇଁ ଭାରତ ପାଇଁ ମ୍ୟାଚ୍ ଖେଳିଥିଲେ। ରାଇନା କହିଛନ୍ତି ଯେ, ଏମ୍ଏସ୍ ଧୋନିଙ୍କ ପରେ ବିରାଟ କୋହଲି ଅଧିନାୟକ ହେବା ପରେ ଦଳର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ହେବା ସ୍ୱାଭାବିକ ଥିଲା। ତେବେ ଯୋ-ଯୋ ଫିଟନେସ୍ ଟେଷ୍ଟକୁ ନେଇ ରାଇନା ଓ ଯୁବରାଜ ସିଂଙ୍କ ଉଦାହରଣ ଦେଇ ସେ ନିଜ ଅଭିଜ୍ଞତା ବଖାଣିଛନ୍ତି।
ରାଇନାଙ୍କ କହିବା ଅନୁଯାୟୀ, ସେ ଓ ଯୁବରାଜ ପ୍ରଥମେ ଯୋ-ଯୋ ଟେଷ୍ଟରେ ବିଫଳ ହୋଇଥିଲେ। ପରେ ଉଭୟ ଟେଷ୍ଟ ପାସ୍ କରିଥିଲେ ଏବଂ ଘରୋଇ କ୍ରିକେଟ୍ରେ ମଧ୍ୟ ରନ୍ କରିଥିଲେ। ଏହାସତ୍ତ୍ୱେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ମିଳିନଥିଲା ବୋଲି ସେ କହିଛନ୍ତି। ଅଧିନାୟକ ଓ କୋଚ୍ଙ୍କୁ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ । ଯଦି ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି ଓ ଘରୋଇ କ୍ରିକେଟ୍ରେ ରନ୍ କରୁଛନ୍ତି, ତେବେ ଦଳରେ ସୁଯୋଗ କାହିଁକି ମିଳୁନାହିଁ ବୋଲି ସେ ପଚାରିଥିଲେ। କିନ୍ତୁ ତାଙ୍କୁ କୌଣସି ସ୍ପଷ୍ଟ ଉତ୍ତର ମିଳିନଥିବା ରାଇନା କହିଛନ୍ତି।
୨୦୧୯ ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ନ ମିଳିବା ତାଙ୍କ କ୍ୟାରିୟରର ଏକ ବଡ଼ ଟର୍ନିଂ ପଏଣ୍ଟ ଥିଲା ବୋଲି ରାଇନା କହିଛନ୍ତି। ତାଙ୍କ ମତରେ, ପ୍ରତ୍ୟେକ ଅଧିନାୟକ ନିଜ ହିସାବରେ ଖେଳାଳି ଚୟନ କରି ଦଳ ଗଠନ କରନ୍ତି । ତେବେ ରାଇନାଙ୍କ ଅନୁସାରେ, ଯଦି ସେ ଓ ଯୁବରାଜ ଦଳରେ ରହିଥାନ୍ତେ, ତେବେ ବିଶ୍ୱକପ୍ରେ ଭାରତ ସେମାନଙ୍କ ଅଭିଜ୍ଞତାର ଫାଇଦା ପାଇପାରିଥାନ୍ତା। ଚୟନକର୍ତ୍ତାମାନେ ଅନ୍ୟ ବ୍ୟାଟର୍ ଓ ଅନ୍ୟ ୱିକେଟକିପର୍ଙ୍କୁ ସୁଯୋଗ ଦେଇଥିଲେ । ଫଳରେ ତାଙ୍କ ଓ ଯୁବରାଜଙ୍କ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଅଧୁରା ରହିଗଲା ବୋଲି ସେ କହିଛନ୍ତି।
ସୁରେଶ ରାଇନା ମାତ୍ର ୩୩ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ୨୦୨୦ ଅଗଷ୍ଟ ୧୫ରେ ଏମ୍ଏସ୍ ଧୋନି ଅବସର ଘୋଷଣା କରିବାର କିଛି ସମୟ ପରେ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍କୁ ବିଦାୟ କହିଥିଲେ। ରାଇନାଙ୍କ ଏହି ବୟାନ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟର ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।