ନୂଆଁଖାଇରେ କୋଭିଡ୍‌ କଟକଣା କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ,୯ା୮: ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ପଶ୍ଚିମ ଓ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ କୋଭିଡ୍‌ କଟକଣା କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ସେହି ଚିଠିରେ ଏମ୍‌ପି ଉଲ୍ଲେଖ କରିଛନ୍ତି ଯେ, ନୂଆଁଖାଇ ସଂସ୍କୃତି , ଐତିହ୍ୟ, ଭାଇ ତଥା ପରମ୍ପରାର ଏକ ଜୀବନ୍ତ ନିଦର୍ଶନ । ସାରା ଓଡ଼ିଶାରେ କୃଷିଭିତ୍ତିକ ଗଣପର୍ବ ଭାବେ ଏହା ପ୍ରସିଦ୍ଧ। ଫଳରେ ଯେଭଳି କୋଭିଡ୍‌-୧୯ ମହାମାରୀ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କଟକଣା ମଧ୍ୟରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ପାଳନ କରାଯାଇପାରିଲା, ଠିକ୍‌ ସେଭଳି ସମସ୍ତ ପ୍ରକାର କୋଭିଡ୍‌ – ୧୯ର କଟକଣା ଓ ମାର୍ଗଦର୍ଶିକା ଭିତରେ ନୂଆଁଖାଇ ପର୍ବ ପାଳନ ପାଇଁ ଅନୁମତି ଦିଆଯାଉ। ନୀତିକାନ୍ତି ପାଳନ ପାଇଁ ପଦକ୍ଷେପ ଗ୍ରହଣ ସହିତ ଆବଶ୍ୟକ ସାମଗ୍ରୀ କିଣାବିକା ନିମନ୍ତେ ନୂଆଁଖାଇ ତିଥିର ଅବ୍ୟବହିତ ପୂର୍ବରୁ କଟକଣା କୋହଳ ପାଇଁ ବ୍ୟବସ୍ଥା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଗରିବ କଲ୍ୟାଣ ଯୋଜନାର ଅର୍ଥ ରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀମାନଙ୍କୁ ଆଗୁଆ ପ୍ରଦାନର ବ୍ୟବସ୍ଥା ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଏମ୍‌ପି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।