Categories: ଖେଳ

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବର୍ଷେ ମଧ୍ୟରେ ଓଡ଼ିଶା କ୍ରିକେଟ ଟିମର କୋଚ୍ ପରିବର୍ତ୍ତନ କରାଯାଇଛି। ଦୀନେଶ ମୋଙ୍ଗିଆଙ୍କ ସ୍ଥାନ ନେବେ ସୁରେନ୍ଦ୍ର ଭାବେ। ଚଳିତ ବର୍ଷ ରଣଜୀରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ତେବେ ଓଡ଼ିଶା କ୍ରିକେଟ ଆସୋସିଏଶନର କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆଗାମୀ ୨୦୨୪-୨୫ ଘରୋଇ ସିଜନ ପାଇଁ ଓଡ଼ିଶା କ୍ରିକେଟ ଦଳର ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ଏହି କ୍ରମରେ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ ଦଳର କୋଚ୍‌ ନିଯୁକ୍ତ କରାଯାଇଛି।

ଦୀନେଶ ମୋଙ୍ଗିଆଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଦଳ ଗତ ସିଜନରେ ଖରାପ ପ୍ରଦର୍ଶନ କରିଥିବାରୁ ତାଙ୍କ ସ୍ଥାନରେ ୫୮ ବର୍ଷୀୟ ସୁରେନ୍ଦ୍ରଙ୍କୁ ନିଯୁକ୍ତି ମିଳିଛି। ପୁଣେର ସୁରେନ୍ଦ୍ର ୧୯୮୬ରୁ ୨୦୦୧ ପର୍ଯ୍ୟନ୍ତ ମହାରାଷ୍ଟ୍ର ପକ୍ଷରୁ ୯୭ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳି ୭୯୭୧ ରନ କରିଛନ୍ତି। ଏହା ମଧ୍ୟରେ ୨୮ ଶତକ ଓ ୨୭ ଅର୍ଦ୍ଧଶତକ ସାମିଲ। ସେହିପରି ସେ ୫୧ଟି ଲିଷ୍ଟ-ଏ ମ୍ୟାଚ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୦୫ରେ ସେ ମହାରାଷ୍ଟ୍ର ରଣଜୀ ଚୟନ କମିଟିର ଏବଂ ୨୦୦୮ରେ ଜାତୀୟ ଚୟନ କମିଟି ସଦସ୍ୟ ଥିଲେ।

Share