ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ଦକ୍ଷତାର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ମହେଶ୍ୱର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୍ଯଯଯାପନୀ ସଭାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ବିଡିଓ ପ୍ରୀତିରଞ୍ଜନ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ଏହାସହ ଦାରିଙ୍ଗବାଡ଼ି ସରପଞ୍ଚ ଦୀପକ ପ୍ରଧାନ, ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚାରୁଶିଳା ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୌଶିକ ନାୟକ ଓ ମୁକୁନ୍ଦ ବଳିୟାର ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ସୁରଭି’ ଭଳି କାର୍ଯ୍ୟକ୍ରମ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରକାଶ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ। ଛାତ୍ରୀଛାତ୍ର ଦେଶର ଭବିଷ୍ୟତ ହୋଇଥିବାରୁ ସେମାନେ ମନଦେଇ ପାଠ ପଢ଼ିବା ସହ ଜଣେ ଭଲ ମଣିଷ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏଥିସହ ପାଠପଢ଼ା ସହ ଖେଳକୁଦ, ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ କଳା କ୍ଷେତ୍ରରେ ନିଜ ପ୍ରତିଭାକୁ ବିକଶିତ କରିବାକୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ସୃଜନାତ୍ମକ ଲିଖନ, ଶ୍ରୁତଲିଖନ, ଚିତ୍ରାଙ୍କନ, ସଙ୍ଗୀତ, ବକ୍ତୃତା, ତର୍କ ଓ ଦଳଗତ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଦଳଗତ ନୃତ୍ୟ ପ୍ରତିଯୋଗିତାରୁ ଜିଲ୍ଲାସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ଦଳ ଚୟନ କରିବା ନିମନ୍ତେ ତିନିଜଣ ଜୁରୀ ସଦସ୍ୟ ଦାୟିତ୍ୱ ତୁଲାଇଥିଲେ। ସେମାନେ ହେଲେ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ରଶ୍ମିତା ଶତପଥୀ, ଓଡ଼ିଶା ବ୍ରିଗେଡ ସ୍କୁଲର ଶିକ୍ଷୟିତ୍ରୀ ଇଭାରାଣୀ ବେହେରା ଏବଂ ଡ. ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ସାମନ୍ତ। ବ୍ଲକସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ବ୍ଲକସ୍ତରରେ ମନୋନୀତ କୃତୀ ପ୍ରତିଯୋଗୀମାନେ ଆଗାମୀ ଜିଲାସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଉଦ୍ଯାପନୀ ସଭାକୁ ବରିଷ୍ଠ ଶିକ୍ଷକ ସନ୍ୟାସୀ ପ୍ରଧାନ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ବରିଷ୍ଠ ଶିକ୍ଷକ ନିରଞ୍ଜନ ସାହୁ କରିଥିଲେ।