ହାତ ତିଆରି ଯନ୍ତ୍ରପାତିରେ ଚାଷ କରୁଛନ୍ତି ସୁରଞ୍ଜନ

ଦାରିଙ୍ଗବାଡି,୪।୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ବାଙ୍ଗା ପଞ୍ଚାୟତର ପଦ୍ମପଲି ଗ୍ରାମର ଯୁବ ଚାଷୀ ସୁରଞ୍ଜନ ପ୍ରଧାନ। ଏକାଧିକ ଏକର ଜମିରେ କରିଛନ୍ତି ପରିବା ଚାଷ। ତେବେ ତାଙ୍କୁ ସରକାରୀ ସହାୟତା ମିଳି ନ ଥିବା ବେଳେ ନିଜେ ଭଙ୍ଗା ସାଇକେଲ, ଭଙ୍ଗା ଲୁହା ଯୋଗାଡ଼ କରି ସେଥିରେ ଯନ୍ତ୍ରପାତି ତିଆରି କରୁଛନ୍ତି ଚାଷ। ମଟର, କୋବି, ଟମାଟୋ ଆଦି ଚାଷ କରୁଛନ୍ତି। କିନ୍ତୁ ପାଣି ଅଭାବରୁ ତାଙ୍କର ପନିପରିବା ଫସଲ ନଷ୍ଟ ହୋଇଯାଉଥିବା କହିଛନ୍ତି। ନିଜସ୍ବ ଉଦ୍ୟମରେ ଏକ ପୋଖରୀ ଖୋଳିଥିଲେ ବି ପାଣି ଅଭାବ ଦେଖାଦେଉଛି। ଫଳରେ ପନିପରିବା ଚାଷରେ ବହୁ କ୍ଷତି ସହୁଥିବା କହିଛନ୍ତି ଚାଷୀ ସୁରଞ୍ଜନ। ପାଣି ଅଭାବରୁ ପରିବା ସେପରି ଭଲ ଭାବେ ଫଳୁ ନ ଥିବା ବେଳେ ଅଧିକାଂଶ ନଷ୍ଟ ହୋଇଯାଉଛି। ନିଜେ ଭଙ୍ଗା ସାଇକେଲ, ଲୁହା ଆଦି ଯୋଗାଡ଼ କରି ଜମି ସମତଳ କରିବା ସହ ଘାସ ବାଛିବା ଯନ୍ତ୍ର ବ୍ୟବସ୍ଥା କରିଛନ୍ତି। କେବଳ ଗୋଟିଏ ପାୱାର ଟିଲର ସବ୍‌ସିଡିରେ କ୍ରୟ କରିଛନ୍ତି ବୋଲି କୁହନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ସୁଦ୍ଧା ସୁରଞ୍ଜନଙ୍କ ନିକଟରେ ପହଞ୍ଚତ୍ପାରି ନାହିଁ। ସେହିପରି ପନିପରିବା ଚାଷ ପାଇଁ ଉଦ୍ୟାନ ବିଭାଗ ହେଉ କି ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା କଲେ ସେ ନିଜ ଚାଷକୁ ବଢ଼ାଇ ଅଞ୍ଚଳରେ ପନିପରିବାର ଅଭାବକୁ ପୂରଣ କରିପାରିବେ ବୋଲି କହିଛନ୍ତି। ଉଦ୍ୟାନ ବିଭାଗ ଏବଂ କୃଷି ବିଭାଗ ପକ୍ଷରୁ ଚାଷ ପ୍ରଣାଳୀ ବିଷୟରେ ତାଲିମ ଦେଇ ଚାଷୀଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସହାୟତା ରାଶି ଦେବାକୁ ନିୟମ ରହିଥିଲେ ସୁଦ୍ଧା ସୁରଞ୍ଜନଙ୍କ ନିକଟରେ ଏହି ଯୋଜନା ପହଞ୍ଚି ନ ଥିବା ଜଣାପଡ଼ିଛି। ଏନେଇ ସହକାରୀ ଉଦ୍ୟାନ ଅଧିକାରୀ ନୀଳାଚଳ ପଣ୍ଡା କହିଛନ୍ତି ଯେ, ଆମେ ଏବେ ଶୁଣିଲୁ ନିଶ୍ଚିତ ବିଭାଗ ଦ୍ୱାରା ଯାହା ଆବଶ୍ୟକ ପଦକ୍ଷେପ ନେଇ ତାଙ୍କୁ ସହାୟତା କରାଯିବ। ସେହିପରି ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି ଯେ ସୁରଞ୍ଜନ ଜଣେ ସଫଳ ଚାଷୀ ବୋଲି ଆମେ ଜାଣିଲୁ, ତାଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ କିମ୍ବା କୂପ ଖୋଳିବା ପାଇଁ ପଦକ୍ଷେପ ନେବାକୁ ଚେଷ୍ଟା କରିବୁ।