ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ପ୍ରତିବାଦ କରିବା  ସମ୍ବିଧାନିକ ସମ୍ବିଧାନ ଅଧିକାର। କେବଳ ଆନ୍ଦୋଳନ ହେଉଛି ବୋଲି ଲାଠିଚାର୍ଜକୁ ଯଥାର୍ଥ କୁହାଯାଇପାରିବ ନାହିଁ। ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ବଳପ୍ରୟୋଗ କରିଥିବା ସୁପ୍ରିମକୋର୍ଟରେ ଆବେଦନକାରୀମାନେ ଅଭିଯୋଗ କରିଥିଲେ।

ଏହାର ଶୁଣାଣି ବେଳେ ସିଜେଆଇ କହିଛନ୍ତି, ଯଦି କୌଣସି ପ୍ରତିବାଦ ଶାନ୍ତିପୂର୍ଣ୍ଣ ଏବଂ ଆଇନସମ୍ମତ ଭାବେ ହେଉଛି, ତେବେ କେବଳ ଆନ୍ଦୋଳନ ଚାଲିଛି ବୋଲି ପୋଲିସ ଲାଠିଚାର୍ଜ କରିପାରିବ ନାହିଁ। ଯଦି କେଉଁଠି ପୋଲିସ ପକ୍ଷରୁ ମାତ୍ରାଧିକ ବଳପ୍ରୟୋଗ ହୋଇଥାଏ, ତାହାର ସ୍ବାଧୀନ ଭାବେ ତଦନ୍ତ ହେବା ଆବଶ୍ୟକ। ଏହା କେବଳ ଦିଲ୍ଲୀର ପ୍ରସଙ୍ଗ ନୁହେଁ, ସାରା ଦେଶରେ ପ୍ରଦର୍ଶନ ପରିଚାଳନା ପାଇଁ ସମାନ ପୋଲିସ ପ୍ରୋଟୋକଲ ରହିବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ବିଚାରପତି ଜୟମାଲ୍ୟ ବାଗଚୀ କହିଛନ୍ତି, ପୋଲିସ କର୍ମଚାରୀ ହୁଅନ୍ତୁ କିମ୍ବା ପ୍ରଦର୍ଶନକାରୀ, ଯେକୌଣସି ବ୍ୟକ୍ତି ଆହତ ହେବା ସମାନ ଚିନ୍ତାର ବିଷୟ। ପ୍ରଦର୍ଶନ ପରିଚାଳନା ପାଇଁ ପୋଲିସଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ସାମଗ୍ରୀ ଏବଂ ହେଲମେଟ କାହିଁକି ଦିଆଯାଇ ନ ଥିଲା, ସେନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇପାରେ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଏକାଠି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।