Categories: ଜାତୀୟ

୩୭୦ ଉଚ୍ଛେଦର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୨: ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଶିକ୍ଷାବିତ୍‌ ତଥା ଲେଖକ ରାଧା କୁମାର ଉକ୍ତ ପିଟିଶନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଅଦାଲତଙ୍କୁ ନିବେଦନ କରିଥିଲେ।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରର ଏହି ନିଷ୍ପତ୍ତି ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି। ଏହା ପୂର୍ବରୁ ଏପ୍ରିଲ ୨୫ ଓ ସେପ୍ଟେମ୍ବର ୨୩ରେ ତତ୍କାଳୀନ ସିଜେଆଇ ଏନ୍‌.ଭି. ରମନାଙ୍କ ଖଣ୍ଡପୀଠ ୩୭୦ ଉଚ୍ଛେଦ ଉପରେ ଦାଖଲ ଆବେଦନଗୁଡ଼ିକର ଶୁଣାଣି ପାଇଁ ସହମତି ପ୍ରକାଶ କରିଥିଲେ। ସେହି ୫ ଜଣିଆ ଖଣ୍ଡପୀଠର ଜଷ୍ଟିସ୍‌ ରମନା ଏବଂ ଜଷ୍ଟିସ୍‌ ଆର୍‌. ସୁଭାଷ ରେଡ୍ଡୀ ଅବସର ନେଇସାରିଥିବାରୁ ସୁପ୍ରିମକୋର୍ଟ ଏହାର ପୁନର୍ଗଠନ କରିବେ।

Share