Categories: ଜାତୀୟ

ହିନ୍ଦୁ ଉତ୍ତରାଧିକାରୀ ଆଇନରେ ପାତରଅନ୍ତର ନେଇ ସରକାରଙ୍କୁ ଚେତାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଦେଶରେ ମହିଳାମାନଙ୍କ ପ୍ରତି ଭେଦଭାବ କରୁଥିବା ହିନ୍ଦୁ ଉତ୍ତରାଧିକାର ଆଇନର ଧାରାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ଚାରି ସପ୍ତାହ ସମୟ ଦେଇଛନ୍ତି। ସୁପ୍ରିମକୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଏହା ହେଉଛି ଶେଷ ସୁଯୋଗ।

ଯଦି ଏହି ଅବଧି ମଧ୍ୟରେ ଉତ୍ତର ଦାଖଲ ନହୁଏ, ତେବେ କୋର୍ଟ ଏହାର ନିର୍ଦ୍ଦେଶ ପ୍ରଦାନ କରିବେ। ଶୀର୍ଷ ଅଦାଲତରେ ଦାଖଲ ହୋଇଥିବା ଆବେଦନରେ ଆବେଦନକାରୀ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୧୫ ଏବଂ ୧୬ କୁ ଚ୍ୟାଲେଞ୍ଜ କରିଛନ୍ତି।

ଆବେଦନରେ ଆଇନଗତ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଚିହ୍ନ ଉଠିଛି। ଏହା ଅନୁଯାୟୀ ଯଦି ବିବାହିତ ସନ୍ତାନହୀନ ବ୍ୟକ୍ତିଙ୍କ ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ସମ୍ପତ୍ତି ଉପରେ ପିତାମାତାଙ୍କର ଅଧିକାର ଅଛି। ତଥାପି, ମହିଳାମାନଙ୍କ କ୍ଷେତ୍ରରେ ଏହା ନୁହେଁ । ସେହିଭଳି, ଜଣେ ସନ୍ତାନହୀନ ତଥା ସ୍ବାମୀଙ୍କର ପୂର୍ବରୁ ମୃତ୍ୟୁ ଘଟିଥିବା ମହିଳାଙ୍କ ମୃତ୍ୟୁ ହେଲେ, ତାଙ୍କ ସମ୍ପତ୍ତି ତାଙ୍କ ପିତାମାତାଙ୍କ ପରିବର୍ତ୍ତେ ସ୍ବାମୀଙ୍କ ପିତାମାତା କିମ୍ବା ସମ୍ପର୍କୀୟଙ୍କ ନିକଟକୁ ଯାଇଥାଏ।

ଏହାପୂର୍ବରୁ ସୁପ୍ରିମକୋର୍ଟ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୧୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ସୂର୍ଯ୍ୟକାନ୍ତ ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଲିଙ୍ଗଗତ ଆଧାରରେ ଏକ ଅନ୍ୟାୟ। ସମ୍ପତ୍ତି ସ୍ଥାନାନ୍ତର ମାମଲାରେ ପୁରୁଷ ଏବଂ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ରହିଥିବା ଏହି ପ୍ରସଙ୍ଗକୁ ନେଇ ପୁନର୍ବାର ବିତର୍କ ଆରମ୍ଭ ହୋଇଛି।

Share