Categories: ଜାତୀୟ

ଅତିକ୍‌-ଅଶ୍ରଫ୍‌ଙ୍କ ହତ୍ୟା ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୨୮।୪: ଗ୍ୟଙ୍ଗଷ୍ଟର ଅତିକ୍‌ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ନିକଟରେ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଦୁଇଟି ପିଟିସନ ଦାଖଲ କରାଯାଇଥିଲା। ଏହି ଦୁଇଟି ପିଟିସନ ଦାଖଲ ପରେ ଉତ୍ତରପ୍ରଦେଶ ପୋଲିସ ସୁପ୍ରିମକୋର୍ଟରେ କହିଛି ଯେ, ସରକାରଙ୍କ ପକ୍ଷ ଶୁଣିବା ବିନା ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଦିଆଯିବା ଉଚିତ୍‌ ନୁହେଁ।

ପ୍ରଥମ ଆବେଦନ ଓକିଲ ବିଶାଲ ତିୱାରୀଙ୍କ ଦ୍ୱାରା ହୋଇଥିବାବେଳେ ଦ୍ୱିତୀୟ ଆବେଦନ ପୂର୍ବତନ ଆଇପିଏସ ଅମିତାଭ ଠାକୁରଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ଏହି ହତ୍ୟାକାଣ୍ଡର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆଡଭୋକେଟ ବିଶାଲ ତିୱାରୀ ତାଙ୍କ ପିଟିସନରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଏଥିସହ ପୂର୍ବତନ ଆଇପିଏସ ଅଧିକାରୀ ତାଙ୍କ ପିଟିସନରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୧୫ରେ ଅତିକ୍‌-ଅଶ୍ରଫ୍‌ଙ୍କୁ ପ୍ରୟାଗରାଜର ଏକ ହସ୍ପିଟାଲ ବାହାରେ ପୋଲିସ ହେପାଜତରେ ଗୁଳି କରି ହତ୍ୟା କରାଯାଇଥିଲା।

Share